ମାଣବସା ଲକ୍ଷ୍ମୀ ପୁରାଣ (Manabasa Gurubar Maha Laxmi Purana)


ମାଣବସା ଲକ୍ଷ୍ମୀ ପୁରାଣ
Add To Favorites

ନମସ୍ତେ କମଳା ମାଗୋ ସାଗର ଦୁଲଣୀ
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।୧।
ନମସ୍ତେ କମଳା ମାଗୋ ଅତି ଦୟାବତୀ ।
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨।
ତୋର ଦୟାବଳେ ମାଗୋ ଦରିଦ୍ର ଜନର ।
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ।
ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।୪।
ତୋହର ଚରିତ ମନ ଦେଇ ଯେ ଶୁଣଇ ।
କିଅବା ଭକତି ଭାବେ ସର୍ବଦା ଗୁଣଇ ।୫।
ତାହାର ଦରିଦ୍ର ପଣ ଯାଏ ଦୂର ହୋଇ ।
ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ।୬।
ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ ।
କରୁଛି ପୁରାଅ ବାରେ ମୋର ମନସ୍କାମ ।୭।
ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ ।
ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ।୮।
ଦିନକେ ନାରଦ ପରାଶର ମୁନି ଦୁଇ ।
ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ ।୯।
ସେହିଦିନ ମାର୍ଗଶୀର ମାସ ଗୁରୁବାର ।
ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ।୧୦।
ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ ।
ଲକ୍ଷ୍ମୀ ପାଦପଦ୍ମ ଚିତା ପଡ଼ିଥିଲା ତହିଁ ।୧୧।
ନାରୀମାନେ ସ୍ନାନ ସାରି ପିନ୍ଧି ଝୀନବାସ ।
ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ।୧୨।
ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପରିଯନ୍ତେ ।
ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ।୧୩।
ହୁଳ ହୁଳୀ ଶବଦରେ ପୁରିଛି ଗଗନ ।
ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ।୧୪।
ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ ।
କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ।୧୬।
କେଉଁ ବ୍ରତ କି ଉପାସ ଅଟେ ଏହା ନାମ ।
କାହାକୁ କରନ୍ତି ପୂଜା ତାର କି ନିୟମ ।୧୭।
ଏହା ଶୁଣି ପରାଶର ହୋଇ ହସ ହସ ।
କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ ।୧୮।
ଏ ଧାନ ମାଣିକା ଗୁରୁବାର ଯେ ଅଟଇ ।
ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ।୧୯।
ସବୁ ମାସ ମାନଙ୍କରେ ମାର୍ଗଶିର ସାର ।
ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ।୨୦।
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ ।
ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ।୨୧।
ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ।
ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର ।୨୨।
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ ।
ଏହା କହି ପରାଶର ହେଲେ ମୌନବ୍ରତ ।୨୩।
ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର ।
ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟେ କେଉଁ ନର ।୨୪।
ତହିଁରୁ ସେ କେଉଁ ଶୁଭଫଳ ଲଭିଅଛି ।
ଲକ୍ଷ୍ମୀ ଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ।୨୫।
ଏହା ସବୁ ମୋ ଆଗରେ କହ ତପୀସାଇଁ ।
ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ।୨୬।
ନାରଦ ବଚନ ଶୁଣି ପରାଶର ମୁନି ।
କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ ।୨୭।
ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର ।
ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ।୨୮।
କହୁଅଛି ପୁରାତନ କଥା ଅଛି ଯାହା ।
ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା ।୨୯।
ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ ।
କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ ।୩୦।
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ ।
ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ।୩୧।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁ ବୁଲିବ ।
ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ ।୩୨।
ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ ।
ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ ।୩୩।
ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ।
ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ ।୩୪।
କରରେ ବାହୁଟି ରମ୍ୟ ବଳୟ କଙ୍କଣ ।
ସୁନା ସୁତା ମାଣିକ୍ୟ ପଦକ ଆଭରଣ ।୩୫।
ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ ।
ଏପରି ନାନା ଭୂଷଣେ ସୁବେଶ ହୋଇଲେ ।୩୬।
ଯେବଣ ମାତାଙ୍କ ଅଧିକାର ତିନିପୁର ।
ଆଭରଣ କେତେ ମାତ୍ର ଦେବେ ପଟ୍ଟାନ୍ତର ।୩୭।
ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ ।
ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ।୩୮।
ପ୍ରବେଶ ହୋଇଲେ ଯାଇଁ ସାଧୁର ଦୁଆରେ ।
ସାଧବାଣୀ ଉଭା ହୋଇଥିଲା ସେହିଠାରେ ।୩୯।
ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ ।
ଶୁଣ ଶୁଣ ସାଧବାଣି ହୋଇ ସ୍ଥିରମନ ।୪୦।
ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର ।
ଲିପା ପୋଛା କରିନାହୁଁ କିମ୍ପା ଘରଦ୍ୱାର ।୪୧।
ସାଧବାଣୀ ଏହା ଶୁଣି ବୋଲଇ ସେକ୍ଷଣି ।
କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି ।୪୨।
ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ ।
ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ ।୪୩।
ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ।
ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ।୪୪।
ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର ।
ସେଦିନ ଉଷାରୁ ଶେଯ ଛାଡ଼ି ତତ୍ ପର ।୪୫।
ଗୋମୟ ଜଳରେ ଘର ଦୁଆର ଲିପିବ ।
ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ।୪୬।
ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ।
ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ।୪୭।
ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର ।
ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ।୪୮।
ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ ।
ଚଉକି ବା ଖଟୁଲିଏ ଆଣିବ ତ୍ୱରିତ ।୪୯।
ତାକୁ ଧୋଇ ତା ଉପରେ ଦେବେ ନୂଆଧାନ ।
ରଙ୍ଗକଳା ନୋହି ହୋଇଥିବ ଶୁକ୍ଳବର୍ଣ୍ଣ ।୫୦।

ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ ।
ଧାନମାଣ ଯେ ପୁରାଇ ରଖିବ ତାପରେ ।୫୧।
ସେ ଧାନ ମାଣ ଉପରେ ଗୁଆ ତିନିଗୋଟି ।
ହଳଦୀ ପାଣିରେ ତାହା ଧୋଇ ଥୋଇବଟି ।୫୨।
ଶୁକଳ ଧାନର ଶିଖା ରଖି ବେଣ୍ଟି କରି ।
ମାଣ ଉପରେ ତାହାକୁ ଥୋଇବ ବିଚାରି ।୫୩।
ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ ।
ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ।୫୪।
ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ ।
ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ ।୫୫।
ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି ।
ଏପରି କରିବ ତିନି ଧୂପକୁ ସଜାଡ଼ି ।୫୬।
ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି ।
ସୁଦଶା ବୋଲି ତା ନାମ ପ୍ରକଟିଛି ।୫୭।
ଶୁକଳଦଶମୀ ହେଲେ ଗୁରୁବାର ଦିନ ।
ହୁଅଇ ସୁଦଶାବ୍ରତ ଶୁଣ ଦେଇ ମନ ।୫୮।
ସେଦିନ ଉଷାରୁ ଉଠି ଲିପି ଘରଦ୍ୱାର ।
ଝୋଟି ଆଦି ଚିତା ଦେବ ପୂର୍ବ ପରକାର ।୫୯।
ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ ।
ତହିଁପରେ ଧୋଇ ଏକ ଖଟୁଲି ରଖିବ ।୬୦।
ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ ।
ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ ।୬୧।
ଦଶଖିଅ ସୂତାରେ ଯେ ବ୍ରତେକ କରିବ ।
ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ ।୬୨।
ଦଶକେରା ଦୂବରେ ସେ ବ୍ରତ ଗୁଡ଼ାଇବ ।
ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ ।୬୩।
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ ।
ବ୍ରତଡୋର ଆଣି ତହିଁ ଥୋଇବ ବହନ ।୬୪।
ପ୍ରଥମରେ ବାଳଧୂପ ନଇବେଦ୍ୟ କରି ।
ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ।୬୫।
ଅରୁଆ ଚାଉଳ ଏକମାଣ ତିନ୍ତାଇବ ।
ତାକୁ କୁଟି ଚୂନା କରି ଯତନେ ରଖିବ ।୬୬।
କଦଳୀ ନଡ଼ିଆ ଛେନା ଆଦି ଦଶପୁର ।
ଦେଇ ଦଶଗୋଟି ମଣ୍ଡା କରିବ ସତ୍ୱର ।୬୭।
ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ ।
ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ।୬୮।
ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ।
ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ।୬୯।
ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ ।
ଗୁରୁବାର ଦିନ ଯେଉଁ କଥା ନିବାରଣ ।୭୦।
ସେ କଥା କହୁଛି ଏବେ ସାଧବାଣୀ ଶୁଣ ।
କେବେ ନ ଭାଜିବ ଖଇ ଗୁରୁବାର ଦିନ ।୭୧।
ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ।
ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ।୭୨।
ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ ।
ମହାଲକ୍ଷୀ ତାର ନିଶ୍ଚେ ଭାଙ୍ଗିଦ୍ୟନ୍ତି ଗେଲ ।୭୩।
ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ ।
ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ।୭୪।
ଖଟର ଛାୟାରେ ଯେହୁ କରଇ ଶୟନ ।
ରାତ୍ରକାଳେ ଦ‌ଧିଅନ୍ନ ଯେ କରେ ଭୋଜନ ।୭୫।
କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ ।
ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ।୭୬।
ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ିଣ ଦିଏ ।
ଏତେ କର୍ମ କରେ ଯିଏ ଲକ୍ଷ୍ମୀଙ୍କୁ ନ ପାଏ ।୭୭।
ଗୁରୁବାର ଦିନ ସକାଳରୁ ଗୋମୟରେ ।
ଦୁଆର ଯେ ନ ଲିପଇ ଅଳସ ପଣରେ ।୭୮।
ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ ।
ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ।୭୯।
ଧନ ଜନ ସବୁ ତାର ହରଣ କରନ୍ତି ।
ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ।୮୦।
ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା ।
ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା ।୮୧।
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ ।
କିବା ପାକହାଣ୍ଡି ଧୋଇ କଳା ନ ଛାଡ଼ଇ ।୮୨।
ସନ୍ଧ୍ୟା ଗଡ଼ିଗଲେ ଯିଏ ଦିଏ ସନ୍ଧ୍ୟାବତୀ ।
ପୁତ୍ରଧନ ହାନୀ ହୁଏ ସଦା ବ‌ହୁ କ୍ଷତି ।୮୩।
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ ।
ଶୋଇବାରେ ଶ‌ଯ୍ୟ ବଙ୍କା କରିଣ ବିଛାଏ ।୮୪।
ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ ।
ଉଲଗ୍ନ ହୋଇ ଶ‌ଯନ କରେ ଯେଉଁ ପ୍ରାଣୀ ।୮୫।
ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ ।
ଏହି ଦିନମାନଙ୍କରେ ଘେନଇ ତଇଳ ।୮୬।
ସଭାମାନଙ୍କରେ ବସି ମିଛ ଯେ କହଇ ।
ଆଳସ୍ୟେ ପାଦ ନ ଧୋଇ ଯେ ଭୁଞ୍ଜି ବସଇ ।୮୭।
କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ ।
ଋତୁମତୀ ନାରୀକୁ ଯେ ରମଣ କରଇ ।୮୮।
କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରଇ ।
କଥା କହୁ କହୁ ସବୁବେଳେ ଯେ ହସଇ ।୮୯।
ଏମନ୍ତ ମନୁଷ୍ୟ ସଦା ବ‌ହୁ କଷ୍ଟ ପାଇ ।
ଆୟୁ, ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ ।୯୦।
ଗୁରୁବାର ସଙ୍କରାନ୍ତି ଅମାବାସ୍ୟା ଦିନ ।
ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ ।୯୧।
କିବା ଏହି ତିନି ଦିନ ଯେଉଁ ନାରୀ ମୋହେ ।
ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ ।୯୨।
ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ ।
ବୁଲନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ ।୯୩।
ଏହି ତିନି ଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି ।
ଅନ୍ତଃ କାଳେ ଯମଦ୍ୱାରେ ବ‌ହୁ କଷ୍ଟ ପାନ୍ତି ।୯୪।
ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ ।
ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ।୯୫।
କରେ ଲକ୍ଷ୍ମୀବ୍ରତ ଲକ୍ଷ୍ମୀବାରେ ଉପବାସ ।
ବଢଇ ତାହା ଧନ ଜନ ଆୟୁ ଯଶ ।୯୬।
ସକାଳୁ ଶେଯରୁ ଉଠି ଯେ ମୁଖ ନ ଧୁଏ ।
ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ।୯୭।
ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ ।
ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବ‌ହ‌ନ ।୯୮।
ଆସନ ବିନା ଯେ ଭୂମିପରେ ବସି ଖାଏ ।
କିବା ଯେ କୁମାରୀ ସଙ୍ଗତରେ କାମମୋହେ ।୯୯।
ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ ।
ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ।୧୦୦।
ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ ।
କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ।୧୦୧।
ଭୋଜନ କରି ଯେ ମୁଖ ଶୋଧନ ନ କରେ ।
ଭୋଜନ କରଇ ଯେହୁ ଅନ୍ଧକାର ଘରେ ।୧୦୨।
ଯେଉଁ ନାରୀ ନିଜ ପତିଠାରେ ରୋଷ ବ‌ହେ ।
ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ।୧୦୩।
ପର ପୁରୁଷରେ ଯେହୁ ହୋଇଥାଏ ରତ ।
ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ ।୧୦୪।
ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି ।
କାଙ୍ଗାଳିନୀ ପରି ବାରଦ୍ୱାରେ ସେ ବୁଲନ୍ତି ।୧୦୫।
କଳହୀ ଅଳସୀ ଅତି ଅପ୍ରିୟା ସାହସୀ ।
ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ ।୧୦୬।
ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ ।
ଲକ୍ଷ୍ମୀ ସେ ସ୍ଥାନ‌କୁ ସଦା କରନ୍ତି ବର୍ଜନ ।୧୦୭।
ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକି ନ ସେବେ ।
ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ।୧୦୮।
ଯେଉଁ ନାରୀ ସ୍ୱାମୀକୁ ଯେ ଦେବ ସମ ମଣି ।
ସେବାକରି ତୋଷୁଥାଏ ତାର ମତ ଚିହ୍ନି ।୧୦୯।
ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ।
ସାନ ବଡ଼ ସମସ୍ତଙ୍କୁ ସମ‌ଭାବେ ଚାହେଁ ।୧୧୦।
ପରଷିବା ବେଳେ ପକ୍ଷ‌ପାତ ଯେ ନ କରେ ।
ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟେ ସମାନରେ ।୧୧୧।
ପତିର ଆଜ୍ଞାକୁ କେବେ ନ ପକାଏ ତଳେ ।
ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ।୧୧୨।
ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ।
ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ।୧୧୩।
ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ।
ପତି ପୁତ୍ର କନ୍ୟା ଅଇଶ୍ୱର୍ଯ୍ୟ ସୁଖ ପାଏ ।୧୦୪।
ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ।
ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ।୧୦୫।
ସଧବା ନାରୀର ପତି ବିନା ନାହିଁ ଗତି ।
ତପ ଜପ ଦେବ ପୂଜା ତାହାର ଅନୀତି ।୧୦୬।
ପତି ସେବ ଛାଡ଼ି ବୃଥା ବ୍ରତ ଯେ କରଇ ।
ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ।୧୦୭।
ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ।
ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ।୧୦୮।
ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ।
ଆପଣାର କୁଳଧର୍ମ ନ ଛାଡ଼ନ୍ତି ଲେଶ ।୧୦୯।
ସଦାବେଳେ କରନ୍ତି ଉତ୍ତମ ଆଚରଣ ।
ଶ୍ରୀଲକ୍ଷ୍ମୀ ତାହାଙ୍କ ପାଦେ ମିଳନ୍ତି ତକ୍ଷଣ ।୧୧୦।
ପତି ସେବା ବିନା ନାହିଁ ନାରୀଙ୍କର ଗତି ।
ପତିପ୍ରାଣା ନାରୀ କରେ ଦେବଲୋକ ଗତି ।୧୧୧।
ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା ।
ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା ।୧୧୨।
ପତି ସେବା ବରଜି ଯେ ମାତ ଗରବରେ ।
ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ ।୧୧୩।
ତାହାର ନୁହଇ ଭଲ ଜନମେ ଜନମେ ।
ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ।୧୧୪।
ଏମନ୍ତ ତିଆରି ସାଧବାଣୀକି ବୋଇଲେ ।
ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ।୧୧୫।
ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ ।
ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ।୧୧୬।
ଶୁଣ ହେ ନାରଦ ଠାକୁରାଣୀ ଏହା କହି ।
ସେଠାବରୁ କେତେଦୂର ପଥ ଗଲେ ବାହି ।୧୧୭।
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ ।
କାହାରି ଦୁଆରେ ସେହି ଶୁଚି ନ ଦେଖିଲେ ।୧୧୮।
କେବଣ ଯୁବତୀ ନିଦେ ହୋଇ ଅଚେତନ ।
କାହର ଫିଟିଯାଇଛି ପିନ୍ଧିଲା ବସନ ।୧୧୯।
କାହାର ଶିରରେ କେଶ ମୁକୁଳିତ ହୋଇ ।
ଭୂମିପରେ ପଡ଼ିଅଛି କେରି କେରି ହୋଇ ।୧୨୦।
ଏହି ରୁପେ ମହାଲକ୍ଷ୍ମୀ ଦେଖିକରି ଗଲେ ।
ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ।୧୨୦
ଶ୍ରିୟା ଚଣ୍ଡାଳୁଣୀ ନ‌ଗ୍ର ବାହାରେ ତା ଘର ।
ତାହାର ମହିମା ଦେବଙ୍କୁ ଯେ ଅଗୋଚର ।୧୨୧।
ପ୍ରତିଦିନ ଖରକଇ ଗୁଣ୍ଡିଚା ନ‌ଗର ।
ବିଷ୍ଣୁ ଭକତିରେ ସେ ଯେ ଅତି ତ‌ତପର ।୧୨୨।
ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା ।
ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ।୧୨୩।
ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା ।
ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା ।
ଷୋଳକୋଠି କରି ଦିବ୍ୟ ପଦ୍ମେକ କାଟିଲା ।୧୨୫।
ଦଶମୁଖୀ ଦୀପାବଳୀ ମଣ୍ଡଳେ ଥୋଇଲା ।
ଦଶବର୍ଣ୍ଣ ଫଳମୂଳ ମଣ୍ଡଳେ ବାଢ଼ିଲା ।୧୨୬।
ସୂତା ଦଶଖିଅ ନେଇ ମଣ୍ଡଳେ ଥୋଇଲା ।
ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା ।୧୨୭।
ଅରୁଆ ଚାଉଳ ଆଉ ଦୁବ ଦଶକେରା ।
ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ।୧୨୮।
ଧୂପଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା ।
ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା ।୧୨୯।
ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ ।
ମୁହିଁ ଛାର ହୀନ‌ଜାତି ନ ଜାଣଇ ପୁଣି ।୧୩୦।
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ ।
କିଞ୍ଚିତେ ଭକତି ମୋର ଘେନ କମଳିନୀ ।୧୩୧।
ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ।
ସ‌ହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ ।୧୩୨।
ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା ।
ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା ।୧୩୩।
ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା ।
ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ।୧୩୪।
ବୋଇଲେକ ଚଣ୍ଡାଳୁଣୀ ମାଗି ଘେନ ବର ।
ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ।୧୩୫।
ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ ।
କି ବର ମାଗିବି ମାଗୋ ମାଗି ନ ଜାଣଇ ।୧୩୬।
ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ ।
କୁବେର ସମାନ ଧନ ଦେବୁ ମାଗୋ ତୁହି ।୧୩୭।
କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି ।
ଚାରିଯୁଗେ ବସିବି ଅମର ବର ପାଇ ।୧୩୮।
ଲକ୍ଷ୍ମୀ ଶୁଣି ହୋଇଲେ ତୁ ହୋଇଛୁ କି ବାଇ ।
ଏ ସମସ୍ତ ବର ତୋତେ ଦେଇ ତ ପାରଇ ।୧୩୯।
ଅମର ବର ଦେବାକୁ ଶକ୍ତି ନାହିଁ ମୋର ।
ଏ ବର ମାଗିଲୁ ତୁ କେମନ୍ତ ପ୍ରକାର ।୧୪୦।
ଯେତେ ଦିନ ଯିଇଁଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ ।
ଅନ୍ତକାଳେ ଯାଇ ବଷ୍ଣୁ ପଞ୍ଜରେ ପଶିବୁ ।୧୪୧।
ମୋହର ଏ ବ୍ରତ କରୁଥିବୁ ସବୁଦିନ ।
ଲକ୍ଷ୍ମୀ-ନାରାୟଣ ପାଦେ ଥିବ ତୋର ମନ ।୧୪୨।
ଶୁଣ ହେ ନାରଦ ଏଣେ ହରି ବଳରାମ ।
ମୃଗୟା ବିନୋଦେ ଯାଇଥିଲେ ଘୋରବନ ।୧୪୩।
ଯୋଗବଳେ ବଳରାମ ଏ କଥା ଜାଣିଲେ ।
ଡାକିକରି ଶ୍ରୀହରିଙ୍କୁ ଏମନ୍ତ କହିଲେ ।୧୪୪।
ଦେଖ ଦେଖ କହ୍ନାଇ ତୋ ଭାରିଜା ଆଚାର ।
ଉଭା ହୋଇ ଅଛନ୍ତି ଯେ ଚଣ୍ଡାଳୁଣୀ ଘର ।୧୪୫।
ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ ।
ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।୧୪୬।
ଏହି ରୁପେ ସବୁଦିନେ ଦେଉଳେ ପଶୁଛି ।
ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।୧୪୭।
ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବ‌ହି ।
ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସ‌ହି ।୧୪୮।
ସୁଦଶା ନାମକ ଏକ ବ୍ରତ ଯେ ତାହାର ।
ଏହି ବ୍ରତେ ଚଣ୍ଡାଳୁଣୀ ପୁଜଇ ପୟର ।୧୪୯।
ଭାରିଜାରେ କାର୍ଯ୍ୟ ଯେବେ ଅଛିରେ କହ୍ନାଇ ।
ଚଣ୍ଡାଳ ସାହିରେ ନ‌ଗ୍ର ତୋଳ ବେଗେ ଯାଇ ।୧୫୦।
ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ ।
ଏପରି ଘରଣି ଥିଲେ ଭଲ ଗତି ନାହିଁ ।୧୫୧।
ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା ।
ଲକ୍ଷ୍ମୀ ପରା ଭାରିଜାକୁ ଆଉ ନ ପାଇବା ।୧୫୨
ସେ ଦୋଷ କରିଛି ଯେବେ ଏମନ୍ତ କରିବା ।
ସ୍ୱର୍ଗ ପୁର ଲୋକଙ୍କୁ ଡକାଇ ଅଣାଇବା ।୧୫୩।
ପାଞ୍ଚ ଲକ୍ଷ ଟଙ୍କା ଦେଇ ଜାତି କରାଇବା ।
ଆଉ ବେଳେ ତାର ଯଦି ଅନୀତି ଦେଖିବା ।୧୫୪।
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ ।
ଏ କଥା ପ୍ରମାଣ ତମେ ଶୁଣ ଜ୍ୟେଷ୍ଠ ଭାଇ ।୧୫୫।
ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜ‌ଜେମା ।
ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା ।୧୫୬।
ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ ।
ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବଇ ନାହିଁ ।୧୫୭।
ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ ।
ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ।୧୫୮।
ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କହ୍ନାଇ ।
ଚଣ୍ଡାଳ ସାହିରେ ତୁ ନବର ତୋଳ ଯାଇ ।୧୫୯।
ମୋର ବଡ଼ ଦେଉଳକୁ ଆଉ ନ ଆସିବୁ ।
ମାଇପକୁ ନେଇ ଦାଣ୍ଡ ବାହାରେ ରହିବୁ ।୧୬୦।
ଧିକ୍କାର ବଚନ ପ୍ରଭୁ ଶୁଣି ନ ପାରିଲେ ।
ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କହିଲେ ।୧୬୧।
ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ।
ଉର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଃଶ୍ୱାସ ଛାଡ଼ିଲେ ।୧୬୨।
ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ ।
ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି ।୧୬୩।
ତାହାର ପୂଜାରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ଯାଚିଣ ଅନେକ ବର ପ୍ରଦାନ କରିଲେ ।୧୬୪।
କୁଟୀର ଖଣ୍ଡିକ ଥିଲା ବଲୁରିର ଦାସ ।
ଲକ୍ଷ୍ମୀ ଦୟାକଲେ ତାକୁ ଚନ୍ଦନ ଉଆସ ।୧୬୫।
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର ।
ଲକ୍ଷ୍ମୀ ଦୟା କଲେ ତାର ହେଲା ପାଞ୍ଚ ସୁତ ।୧୬୬।
ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ ।
ବରଦେଇ ସେ ଠାବରୁ ବିଜେ କରିଗଲେ ।୧୬୭।
ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲେ ଭାଗ୍ୟବତୀ ।
ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ।୧୬୮।
ସିଂହଦ୍ୱାରେ ବିଜୟ ଲକ୍ଷ୍ମୀ ଯେ ମହାମାୟୀ ।
ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ ।୧୬୯।
ବୋଇଲେ ହେ ବାଟ ଛାଡ଼ ଭିତରକୁ ଯିବି ।
ଦଶମୀ ଯୋଗାଡ଼ ମୁହିଁ ମଣୋହୀ ରାନ୍ଧିବି ।୧୭୦।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ ।
ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ ।୧୭୧।
ଆମ୍ଭେ ନ ଦେଖୁଣୁ ଦେଖିଲେ ଯେ ବଡ଼ଭାଇ ।
ଆମ୍ଭେ ଦେଖୁଥିଲେ ସିନା ଦିଅନ୍ତୁ ଘୋଡ଼ାଇ ।୧୭୨।
ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁ ।
ଧିକ୍କାର ବ‌ହୁତ ମୋତେ କଲେ ବଡ଼ ଭାଇ ।୧୭୩।
ହାଡ଼ି ଘରେ ଥିବ ଲକ୍ଷ୍ମୀ ଥିବ ପାଣ ଘରେ ।
ସ୍ନାନ ନ କରି ପଶୁଛି ଦେଉଳ ଭିତରେ ।୧୭୪।
ତାଠାରୁ ପାପିନୀ ଆଉ ସଂସାରରେ ନାହିଁ ।
ମୋହର ବଚନ ଏବେ ଶୁଣ ପ୍ରାଣସ‌ହୀ ।୧୭୫।
ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ ।
ବାଇ ପ୍ରାୟେ ବୁଲୁଥାଉ ହୋଇ ମୋ ଘରଣୀ ।୧୭୬।
ଏକ ଘର କରାଉ ସ‌ହସ୍ର ଘର ଭାଙ୍ଗି ।
ସ‌ହସ୍ର ଘର କରାଉ ଏକ ଘର ଭାଙ୍ଗି ।୧୬୮।
ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର ।
ଯାଅ ଲକ୍ଷ୍ମୀ ବାହାରି ଗୋ ନ ରହ ମୋ ପୁର ।୧୬୯।
ତୋହଠାରେ କୋପ କରିଛନ୍ତି ବଡ଼ ଭାଇ ।
ଲକ୍ଷ୍ମୀଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ।୧୭୦।
ଛାଡ଼ ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ ।
ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ ।୧୭୧।
ଆମ ଜାତିରେ ତ ଛାଡ଼ ପତ୍ର ଚଳେ ନାହିଁ ।
ଛାଡ଼ିବା ଭାରିଜା ମୁଖ ଚାହିଁ ନ ଯୋଗାଇ ।୧୭୨।
ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ।
ଯେତେବେଳେ ସାଗର ମନ୍ଥିଲେ ଦେବେ ଯାଇଁ ।୧୭୩।
ବେଦ ମନ୍ତ୍ରାଦି ସ‌ହିତେ ମୋତେ ପାଇଥିଲ ।
ସେତେବେଳ କଥା ତୁମେ ପାଶୋରି ଯେ ଦେଲ ।୧୭୪।
ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ ।
କନ‌କ ବେଦୀରେ ନେଇ ବିଭା କରାଇଲେ ।୧୭୫।
ଝିଅ ଦେଇ ଶରଣ ପଶିଲେ ତୁମ୍ଭଠାଇଁ ।
ଦଶଦୋଷ ମୋର କ୍ଷମା କରିବାର ପାଇଁ ।୧୭୬।
ଦଶଗୋଟି ଦୋଷରୁ ଗୋଟିଏ ନ ସ‌ହିଲ ।
ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ।୧୭୭।
ବିଭା ବାସୀ ଦିନ ଜୁଆ ଖେଳିବାର ବେଳେ ।
ସାତକଡ଼ା କଉଡ଼ି ଯେ ପାତିଲଇଁ ତଳେ ।୧୭୮।
ତୁମ୍ଭେ ଢ଼ାଳିଦିଅ ନାଥ ମୋହରି ହସ୍ତରେ ।
ସୁବର୍ଣ୍ଣ କଉଡ଼ି ମୁହିଁ ଜାକିଲଇଁ କରେ ।୧୭୯।
ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର ।
ମୋତେ ବୋଇଲ ଯା' ଇଚ୍ଛା ମାଗି ଘେନ ବର ।୧୮୦।
ଯାହା ମନ ବାଞ୍ଛା ଗୋ କରିବୁ ବଇଦେହୀ ।
ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସ‌ହୀ ।୧୮୧।
କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର ।
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ।୧୮୨।
ଅଷ୍ଟଦିନେ ପଡ଼ିବ ମୋହର ଗୁରୁବାର ।
ପଡ଼ି ଚରଚିବି ମୁହିଁ ସଭିଙ୍କର ଘର ।୧୮୩।
ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ ।
ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ।୧୮୪।
ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ ।
ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ।୧୮୫।
ଜଗନ୍ନାଥ କହୁଛନ୍ତି କୋପଭର ହୋଇ ।
ବାପ ତୋ ଲୁଣିଆ ଯେ ଗରଜି ମରୁଥାଇ ।୧୮୬।
ଝିଅ ଟେରୀ ତୋ ଦୁର୍ଗୁଣ କହିଲେ ନ ସରେ ।
ବାପର ଗର୍ଜ୍ଜନ ଶବ୍ଦେ କିଏ ରହିପାରେ ।୧୮୭।
ଚାରିପାଖେ ମେଘନାଦ ପାଚେରୀ ତୋଳାଇ ।
ବଡ଼ ଦେଉଳରେ ରହିଅଛ ଦୁଇ ଭାଇ ।୧୮୮।
ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ ।
ଅଛବର ଘରେ ଦଣ୍ଡେ ଥିଲି ଉଭାହୋଇ ।୧୮୯।
ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ ।
ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ।୧୯୦।
ପ୍ରଭୁ ହେତୁ ଯାଉଛନ୍ତି ସବୁ ଗୋପ୍ୟ ହୋଇ ।
ତୁମ ଜାତି କୂଳର ତ ଠିକଣା ନ ଥାଇ ।୧୯୧।
ତୁମ୍ଭ ଜାତି କୂଳ ଯେ କହିଲେ ନ ସରଇ ।
ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ।୧୯୨।
ନିମା ନାମେ ସିପୁଟି ଯେ ଜାତିରେ ଗୋଲକ ।
ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ।୧୯୩।
ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ ।
ବିଦୁର ଘରେ ଯେ ପୁଣି କରିଲ ଭୋଜନ ।୧୯୪।
ଜାରା ନାମେ ଶବର ଯେ ଅରଣ୍ୟରେ ଘର ।
ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶ ବାର ।୧୯୫।
ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ ।
ବସିଣ ପ୍ରଥମେ ଭଲମନ୍ଦ ସେ ଚାଖଇ ।୧୯୬।
ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ ।
ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ ।୧୯୭।
ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଇ ।
ଏ କଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ ।୧୯୮।
ଆପଣେ ପାତକୀ କିମ୍ପା ପର ନିନ୍ଦା କର ।
ପାପ ପୂଣ୍ୟ ଦୁଇ କଥା ବିଚାର ନ କର ।୧୯୯।
ଭାରିଜା ଯେ ଦୋଷ କଲେ ପତି ତା ସ‌ହଇ ।
ଏକ ଅପରାଧେ ପ୍ରଭୁ ଭୃତ୍ୟେ କି ତେଜଇ ।୨୦୦।
କିମ୍ପା ନ କର ପ୍ରଭୁ ଏମନ୍ତ ବିଚାର ।
ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ।୨୦୧।
ଜଗନ୍ନାଥ କହୁଛନ୍ତି ଏମନ୍ତ କରିବା ।
ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବା ।୨୦୨।
ଭାଇକୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ ।
ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ।୨୦୩।
ଲକ୍ଷ୍ମୀଦେବୀ କହ‌ନ୍ତି ପଡ଼ିରେ କାର୍ଯ୍ୟ ନାହିଁ ।
ଅନାଥ ଅରକ୍ଷ ପ୍ରାୟେ ଯାଉଅଛି ମୁହିଁ ।୨୦୪।
ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁ ଯେ ନୁହଁଇ ।
ପିତାର ଘରକୁ ମୁଁ ଯେ ବାହାରି ଯିବଇ ।୨୦୫।
ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ିନିଅ ।
ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ।୨୦୬।
ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଈ ।
ଅଙ୍ଗ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ ।୨୦୭।
ଭାରିଜା ଦେହରେ ଯେଉଁ ଅଳଙ୍କାର ଥାଏ ।
ସ୍ୱାମୀ ହୋଇ ତାହାଠାରୁ କାଢ଼ି କିଏ ନିଏ ।୨୦୮।
ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ ।
ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ୨୦୯।
ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା ।
ସ‌ହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ।୨୧୦।
ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ ।
ତୁମ୍ଭ ଅଳଙ୍କାରମାନ ନିଅ ବାହୁଡ଼ାଇ ।୨୧୧।
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ।
ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କଞ୍ଚୁଲି ।୨୧୨।
ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣୀ ।
ନାସିକାରୁ କାଢ଼ିଲେ ଯେ ମୁକୁତା ବସଣୀ ।୨୧୩।
କର୍ଣ୍ଣଦ୍ୱୟରୁ କାଢିଲେ ହୀରାର କୁଣ୍ଡଳ ।
ଗଳାରୁ କାଢ଼ିଲେ ଯେ ଦୋଷରୀ ଚିନାମାଳ ।୨୧୪।
ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୁପୂର ।
ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ତ୍ୱର ।୨୧୫।
ଅନ୍ୟ ଅଳଙ୍କାରମାନ କି କହିବି ଆଉ ।
ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ।୨୧୬।
ସବୁ ଅଳଙ୍କାରମାନ ଏକଠାବ କଲେ ।
ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ ।୨୧୭।
ଗୋବିନ୍ଦ କହ‌ନ୍ତି ଏହା କି କରିବୁ ନେଇ ।
ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁ ।୨୧୭।
ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ ।
ଛ' ମାସକୁ ଭାତ ଲୁଗା ଲେଖିଣ ଦିଅଇ ।୨୧୮।
ଏହି ଅଳଙ୍କାର ସବୁ ତୁମ୍ଭେ ଘେନିଯାଅ ।
ବିକି ଭାଙ୍ଗିକରି ଭାତ ଲୁଗା କରୁଥାଅ ।୨୧୯।
ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ ।
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ।୨୨୦।
ମୋର ତୁଲେ ଆଉ ଯେଉଁ ଭାରିଜା ଆଣିବ ।
ଏହିସବୁ ଅଳଙ୍କାର ତାହାଙ୍କୁ ଯେ ଦେବ ।୨୨୧।
ମୁହିଁ ଯାଉଅଛି ହୀନ ଅରକ୍ଷିତ ହୋଇ ।
ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।୨୨୨।
ସତେ ଯଦି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତ‌ଯାତ ।
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।୨୨୩।
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ।
ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ।୨୨୪।
ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ ।
ଭୋଜନ କରିବ ତେବେ କାଳୀୟ ଗଞ୍ଜନ ।୨୨୫।
ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ ।
ଦେଉଳୁ ବାହାର ହୋଇ କେତେଦୂର ଗଲେ ।୨୨୬।
ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି ।
ଦାସୀଙ୍କୁ ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ।୨୨୭।
ମୁହିଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ ।
ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ ।୨୨୮।
ଏହି ପରି ହୋଇ ଯେବେ ପିତାଘର ଯିବି ।
ଚାରିଦିନ ମାତ୍ର ତ‌ହିଁ ରହି ନ ପାରିବି ।୨୨୯।
ଜଗନ୍ନାଥ ପ୍ରାୟ ବନ୍ଧୁ ପିତାଘର ଯିବେ ।
ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ ।୨୩୦।
ଶାପ ଦେବା ଫଳ ମୋର ହେବ ଅକାରଣ ।
ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ।୨୩୧।
ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତାକଲେ ।
ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ ।୨୩୨।
ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା ।
ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା ।୨୩୩।
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ ।
ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ ।୨୩୪।
ଚଣ୍ଡାଳୁଣୀ କହି ପ୍ରଭୁ ଦେଲେ ଘଉଡ଼ାଇ ।
ପାରିବୁକି ଖଣ୍ଡିଏ କୁଡ଼ିଆ ତୋଳିଦେଇ ।୨୩୫।
ଆଜ୍ଞାମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ ।
ତିନି କୋଶ ପ୍ରମାଣେ ଉଆସ ତୋଳାଇଲେ ।୨୩୬।
ସୁବର୍ଣ୍ଣର କାନ୍ଥମାନ ସବୁଘରେ କଲେ ।
ହୀରା ନୀଳା ମାଣିକ୍ୟାଦି ତ‌ହିଁ ଖଞ୍ଜାଇଲେ ।୨୩୭।
ଗଣ୍ଠିସ୍ଥଳେ ଅନେକ ମୁକୁତା ଲଗାଇଲେ ।
ପ୍ରବାଳର ସ୍ତମ୍ଭମାନ ତ‌ହିଁରେ ରଚିଲେ ।୨୩୮।
ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ ।
ବିଶ୍ୱକର୍ମାକୁ ବ‌ହୁତ ପ୍ରଶଂସା ଯେ କଲେ ।୨୩୯।
ବୈକୁଣ୍ଠ ପୁରକୁ ବିଶ୍ୱକର୍ମା ଚଳିଗଲେ ।
ଅଷ୍ଟ ବେତାଳକୁ ଡାକି ଦେବୀ ଆଜ୍ଞା ଦେଲେ ।୨୪୦।
ଅଷ୍ଟ ବେତାଳରେ ତୁମ୍ଭେ ଏମନ୍ତ କରିବ ।
ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ ।୨୪୧।
ଷାଠିଏ ପଉଟି ଭୋଗ ଭୁଞ୍ଜିବ ଯେ ତ‌ହିଁ ।
ତେର ପୌଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ ।୨୪୨।
ଶାଗମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ ।
ଆମ୍ବିଳ ଖାଇବ ଖଣ୍ଡ ଶାକର ମିଶାଇ ।୨୪୩।
ଅମୃତ ମଣୋହିମାନ ଭୋଜନ କରିବ ।
ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ ।୨୪୪।
ତ‌ହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ ।
ବାଉନ କୋଟି ଭଣ୍ଡାର ବୋହିଣ ଆଣିବ ।୨୪୫।
କାଣି କଉଡ଼ି କଡ଼ାକର ଦ୍ରବ୍ୟ ନ ରଖିବ ।
ସବୁ ବୋହି ଆଣି ମୋର ପାଶେ ସମର୍ପିବ ।୨୪୬।
ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ ।
କେମନ୍ତ କରିଣ ତ‌ହୁଁ ଆଣିବୁ ବୁହାଇ ।୨୪୭।
ଜଗନ୍ନାଥ ମହାପ୍ରଭୁ ତ‌ହିଁ ଚାହିଁ ଥିବେ ।
ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ ।୨୪୮।
ଶୁଣି କମଳିନୀ ନିଦ୍ରାବତୀକି ରାଇଲେ ।
ବ‌ହ‌ନ ମୋ ବୋଲକର ବୋଲିଣ ବୋଇଲେ ।୨୪୯।
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ ।
କାଲି ବେଳ ଦୁଇ ଘଡ଼ିଯାଏ ନ ଛାଡ଼ିବୁ ।୨୫୦।
ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ ।
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ।୨୫୧।
ପାକଶାଳାରେ ବେତାଳ ପ୍ରବେଶ ହୋଇଲେ ।
ତ‌ହିଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ ।୨୫୨।
ହାଣ୍ଡିମାନ ସବୁ ଏକ ସ୍ଥାନେ କଚାଡ଼ିଲେ ।
ଭଣ୍ଡାର ଘରରେ ଅଷ୍ଟ ବେତାଳ ପଶିଲେ ।୨୫୩।
ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତ‌ହିଁ ।
ବାଉନ କୋଟି ଭଣ୍ଡାର ଆଣିଲେ ବୁହାଇ ।୨୫୪।
ରାତ୍ର ଷୋଳ ଘଡ଼ିଯାକ ବେତାଳ ଯେ ତ‌ହିଁ ।
କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି ।୨୫୫।
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ।୨୫୬।
ପ୍ରଶଂସା କରିଣ ମାଏ ବଚନ ଯେ କହି ।
ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ ନାହିଁ ।୨୫୭।
ପାଞ୍ଚ ଲକ୍ଷ ମୂଲ୍ୟ ସେହି ଖଟ ତ ଅଟଇ ।
ଯାଅରେ ବେତାଳ ସେହି ଖଟ ଆଣ ବୋହି ।୨୫୮।
ଯେତେବେଳେ ଜଗନ୍ନାଥ ଦରିଦ୍ର ହୋଇବେ ।
ରତ୍ନ ଖଟ ବିକିକରି ଦିନ ଚଳାଇବେ ।୨୫୮।
ଯେବେ ପ୍ରଭୁ ଜଗନ୍ନାଥ ମୋତେ ନ ଖୋଜିବେ ।
ନାରୀଙ୍କୁ ପରୁଷମାନେ ଆଉ ନ ଲୋଡ଼ିବେ ।୨୫୯।
ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର ।
କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ।୨୬୦।
ବେତାଳେ ବୋଲୁଅଛନ୍ତି ରମା ମୁଖ ଚାହିଁ ।
ରତ୍ନ ଖଟେ ଶୋଇଛନ୍ତି ଦୁଇଗୋଟି ଭାଇ ।୨୬୧।
କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ ।
ପୁଣି ତ‌ହିଁ ଶୋଇଛନ୍ତି କାଳୀୟ ଗଞ୍ଜନ ।୨୬୨।
ସାତଗୋଟି ପର୍ବତରୁ ଅଟଇ ଯେ ଗରୁ ।
ନାମ ବ‌ହି ଅଛନ୍ତି ଅଚଳ ମହାମେରୁ ।୨୬୩।
ମହାଲକ୍ଷ୍ମୀ ବୋଇଲେରେ ଏମନ୍ତ କରିବ ।
ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ ।୨୬୪।
ରମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ ।
ଶୋଇବାର ରତ୍ନ ଖଟ ବୋହିଣ ଆଣିବ ।୨୬୫।
ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ ।
ରତ୍ନ‌ଖଟ ପାଶେ ଦଉଡ଼ିଆ ଖଟ ଦେଲେ ।୨୬୬।
ବଳରାମଙ୍କୁ ପ୍ରଥମେ ଧଇଲେକ ଯାଇ ।
ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ ।୨୬୭।
ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ ।
ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ ।୨୬୮।
ଶୋଇବାର ରତ୍ନ‌ଖଟ ଆଣିଲେକ ବୋହି ।
ମହାଲକ୍ଷ୍ମୀ ଆଗେ ଦେଲେ ଆନ‌ନ୍ଦରେ ନେଇ ।୨୬୯।
ବଳରାମ ପିନ୍ଧିବାର ପାଟ ବୋହି ନେଲେ ।
ଜଗନ୍ନାଥ ପିନ୍ଧିବାର ନେତ ଘେନିଗଲେ ।୨୭୦।
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ଅଷ୍ଟ ବେତାଳକୁ ବର ଯାଚିଣ ଯେ ଦେଲେ ।୨୭୧।
ଆରେ ଅଷ୍ଟ ବେତାଳରେ ଏମନ୍ତ କରିବ ।
ବୈକୁଣ୍ଠ ପୁରରେ ଯାଇ ସୁଖରେ ରହିବ ।୨୭୨।
ଆଜ୍ଞା ପାଇଣ ବେତାଳଗଣ ବେଗେ ଗଲେ ।
ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ ।୨୭୩।
ମହାଲକ୍ଷ୍ମୀ ତ‌ହୁଁ ଏକ କଥା ବିଚାରିଲେ ।
ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସୁମରିଲେ ।୨୭୪।
ବୋଇଲେ ଗୋ ସରସ୍ୱତୀ ଏମନ୍ତ କରିବ ।
ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ ।୨୭୫।
ସର୍ବଦ୍ୱାରେ ଜଗନ୍ନାଥ ବୁଲିବେଟି ଯାଇଁ ।
ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି ।୨୭୬।
ଅନ୍ନ ପାଣି କେହି ତାଙ୍କୁ କିଛି ହିଁ ନ ଦେବେ ।
ଏତେ ଦୁଃଖ ପାଇଲେ ସେ ମୋତେ ସୁମରିବେ ।୨୭୮।
ଆରାମ ଦାୟିନୀ ରାତ୍ର ସୁଖରେ ପାହିଲା ।
ଦିନ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଙ୍ଗିଲା ।୨୭୯।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।
ଗ‌ହଳ ଚ‌ହଳ ଆଜି କିଛି ଶୁଭୁନାହିଁ ।୨୮୦।
ମୁଦିରଥ ପଣ୍ଡାର ତ ତୁଣ୍ଡ ଶୁଭୁନାହିଁ ।
ଦାସୀ ପରିବାରୀ ଯେ ପରିଛା ଗଲେ କାହିଁ ।୨୮୧।
ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ ।
କି ବୁଦ୍ଧି କରିବା ଏବେ କହରେ କହ୍ନାଇ ।୨୮୨।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।
ଲକ୍ଷ୍ମୀ ଛାଡ଼ିଗଲାରୁ ଯେ ଏମନ୍ତ ହୁଅଇ ।୨୮୩।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।
ଭାର୍ଯ୍ୟା ଛାର ଏମନ୍ତକୁ କହୁଅଛୁ ତୁହି ।୨୮୪।
କାହାର ଭାରିଜା ଯେବେ ଋଷି ହଜିଯାଏ ।
ତାର ଗୃହସ୍ଥ କି ଭାତ ରାନ୍ଧିଣ ନ ଖାଏ ।୨୮୫।
ଭଣ୍ଡାର ଘରକୁ ବିଜେ କଲେ ଦୁଇଭାଇ ।
ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ ।୨୮୬।
ବଳରାମ କହୁଛନ୍ତି କାହିଁ କିସ ହେଲା ।
ବାଉନ କୋଟି ଭଣ୍ଡାର କେ ଘେନିଣ ଗଲା ।୨୮୭।
ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ ।
କ୍ଷଣକ ଭିତରେ କିଏ ଘେନିଗଲା ବୋହି ।୨୮୮।
ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ ।
ସାତ ଗୋଟି ଗଣ୍ଠିଦେଇ କାନିରେ ବାନ୍ଧିଲେ ।୨୮୯।
ଜଗନ୍ନାଥ କହ‌ନ୍ତି ଯେ ପାଇଲକି ଭାଇ ।
ବଳରାମ କହୁଛନ୍ତି ଧନ ପାଇଲଇଁ ।୨୯୦।
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ।
ବେଙ୍ଗି ପିତ୍ତଳ ଖଣ୍ଡିକ ରଖ କାହିଁ ପାଇଁ ।୨୯୧।
ବଳରାମ କହୁଛନ୍ତି କି କଥା ଘଟିଲା ।
ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତ୍ତଳ ହୋଇଲା ।୨୯୨।
ଶୁଦ୍ଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା ।
ଭାଗ୍ୟକୁ କାଣି କଉଡ଼ି ସମାନ ନୋହିଲା ୨୯୩।
ସେଠାରୁ ବାହାରି ଗଲେ ଦୁଇଗୋଟି ଭାଇ ।
ପାକଶାଳ ଦୁଆରେ ଯେ ପ୍ରବେଶିଲେ ଯାଇ ।୨୯୪।
ବଳରାମ ଠିଆହେଲେ ଦୁଆର ମୁହଁକୁ ।
ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ ।୨୯୫।
ଦେହରେ ଲାଗିଲା କଳା ମୁହଁରେ ଲାଗିଲା ।
କଳା ଶ୍ରୀମୁଖ ଗୋଟିକ ଝଟକି ଦିଶିଲା ।୨୯୬।
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ।
ବଡ଼ ଖିଆ ବୋଲି ତୋତେ କହ‌ନ୍ତି ଜଗତ ।୨୯୭।
ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି ।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।୨୯୮।
ଅନ୍ନ କାହିଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁ ।
ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ ।୨୯୦।
ଦେଖିଲେ ଅଗାଡ଼ି ତ‌ହିଁ ଗୋଟିଏ ଯେ ନାହିଁ ।
ତ‌ହୁଁ ଗଲେ ଦୁଇଭାଇ ନିରାଶ ଯେ ହୋଇ ।୨୯୧।
ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ ।
ଟୋପାଏ ସୁଦ୍ଧା ଯେ ପାଣି ତ‌ହିଁ ନ ଦେଖିଲେ ।୨୯୨।
ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ ।
ସେହିଦିନ ଉପବାସ କରିଣ ରହିଲେ ।୨୯୩।
ବେଳ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଙ୍ଗିଲା ।
ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା ।୨୯୪।
କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ ।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।୨୯୫।
କାଲି ଉପବାସରେ ରହିଲେ ଦୁଇ ଭାଇ ।
ଆଉ ପାଦେ ଯିବାକୁ ତ ବଳ ପାଉନାହିଁ ।୨୯୬।
କେଉଁଠାରେ ଆଜି ଯଦି ନ ମିଳିବ ଅନ୍ନ ।
କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ ।୨୯୭।
ବଳରାମ କହୁଛନ୍ତି ଶୁଣ ଆରେ ବାବା ।
ନ‌ଗରରେ ଭିକ୍ଷା ମାଗି ଜୀବନ ପୋଷିବା ।୨୯୮।
କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା ।
ହସ୍ତରେ ଧଇଲେ ଦୁଇଭାଇ ଭଙ୍ଗାଛତା ।୨୯୯।
ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି ।
ଯାହା ଘରଠାକୁ ପାଣି ମାଗିବାକୁ ଯା'ନ୍ତି ।୩୦୦।

यह भी जानें

ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦ୍ୟନ୍ତି ।
ସେ ଠାବରୁ ଦୁଇ ଭାଇ ଭୟେ ପଳାଅନ୍ତି ।୩୦୧।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।
ବଡ଼ପଣ୍ଡା ଘରକୁ ହେ ଚାଲ ଏବେ ଯାଇ ।୩୦୨।
ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ ।
ବଡ଼ପଣ୍ଡା ଘରେ ଯାଇ ପ୍ରବେଶ ହୋଇଲେ ।୩୦୩।
ବଧୁ ତାର କହଇ ଯେ ଶାଶୁ ଆଗେ ଯାଇ ।
ବ୍ରହ୍ମଣ ଯେ ଦୁଇଗୋଟି ଆସିଛନ୍ତି ଧାଇଁ ।୩୦୪।
ଶାଶୁ ରାଣ୍ଡି ତାହାଙ୍କୁ ଯେ ଚିହ୍ନି ନ ପାରିଲା ।
ଧାଇଁ ଯାଇ ବେଗେ ତାଙ୍କୁ କବାଟ କିଳିଲା ।୩୦୫।
ଆସ ଆସ ବୋହୁଏ ଲୋ ଠେଙ୍ଗା ବାଡ଼ି ଧରି ।
ଚୋର କି ଖଣ୍ଟ ଏ ଦୁହେଁ ଦେବା ଆଡ଼କରି ।୩୦୫।
ଏହା ଶୁଣି ଦୁଇ ଭାଇ ତ‌ହୁଁ ପଳାଇଲେ ।
ସାମ‌ବେଦ ଯଜୁରବେଦ ଦୂରେ ଉଚ୍ଚାରିଲେ ।୩୦୬।
ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ ।
ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ୩୦୭।
ଦୁଇ ଭାଇଙ୍କୁ ସେ ଡାକି ତ‌ହିଁ ବସାଇଲା ।
ଖୁଦ ମଳୁଖ ମିଶାଇ ସତ୍ୱର ରାନ୍ଧିଲା ।୩୦୮।
ଅଫିଟା କଦଳୀମଞ୍ଜ ଦୁଇଖଣ୍ଡ ଆଣି ।
ବେନି ଭାଇ ପକାଇଣ ସିଞ୍ଚିଲେକ ପାଣି ।୩୦୯।
କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା ।
ଆଉ କି ବାଢ଼ିବ ତାର ହାଣ୍ଡି ଉଭା ହେଲା ।୩୧୦।
ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲିଣ ଯାଣିଲା ।
ପାକଶାଳାରୁ ଲେଉଟି ପାଶରେ ମିଳିଲା ।୩୧୧।
ଦୁଇଗୋଟି ଭାଇଙ୍କର ହସ୍ତକୁ ଧଇଲା ।
କଟୁ କଥା କହି ତାଙ୍କୁ ଦାଣ୍ଡରେ ଛାଡ଼ିଲା ।୩୧୨।
ତ‌ହୁଁ ଦୁଇଜଣ ଯେ ନିରାଶ ହୋଇଗଲେ ।
କବୀର ସାହିରେ ଯାଇ ପ୍ରବେଶ ହୋଇଲେ ।୩୧୩।
କ୍ଷୁଧାର୍ଥ ବ୍ରାହ୍ମଣ ବୋଲି କବୀର ଜାଣିଲେ ।
ଖଇ ଚାରି ପାଞ୍ଚ ମାଣ ଆଣି ବେଗେ ଦେଲେ ।୩୧୪।
ଅନ୍ତର୍ଗତେ ଜାଣିଲେ ଯା ଦେବୀ କମଳିନୀ ।
ପବନ‌କୁ ଡାକି ଆଜ୍ଞା ଦେଲେ ସେହିକ୍ଷଣି ।୩୧୫।
ଆରେ ପବନ ତୁହି ତ ବେଗେ ଚଳିଯିବୁ ।
ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ଦେବୁ ।୩୧୬।
ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା ।
ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା ।୩୧୭।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।
ପ୍ରାଣ ଗଲାବେଳେ ଜାତି କୂଳ ଲୋଡ଼ୁ କାହିଁ ।୩୧୮।
ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ ।
ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତ‌ହିଁ ।୩୧୯।
ଫଳ ପୁଷ୍ପ କରି ତ‌ହୁଁ ଗୁଡ଼ାଏ ଆଣିବା ।
ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା ।୩୨୦।
ଏମନ୍ତ ବିଚାର କରି ଦୁଇ ଭାଇ ଗଲେ ।
ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ ।୩୨୧।
ପଦ୍ମ ପୋଖରୀରେ ସାତ ତାଳ ପାଣି ଥିଲା ।
ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା ।୩୨୨।
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା ।
ଜଳ ନାହିଁ ଫଳ ଏଥି କାହୁଁ ବା ପାଇବା ।୩୨୩।
ଏହା କହି ଦୁଇଜଣ ତ‌ହୁଁ ଚଳିଗଲେ ।
ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ।୩୨୪।
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ ।
ତୁମ୍ଭର ଥାଳରୁ ଯେ ଆମ୍ଭକୁ ଦିଅ ଭାତ ।୩୨୫।
ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ ।
ଲକ୍ଷ୍ମୀ ଦ୍ରୋହି ହୋଇଅଛ ତୁମ୍ଭେ ଦୁଇ ଭାଇ ।୩୨୬।
ଦୁଧ ଅନ୍ନରେ ଯେ ମୋର ଥାଳ ପୁରିଥିଲା ।
ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା ।୩୨୭।
ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁ ।
ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ ।୩୨୮।
ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ ।
ଖାଇଲେ ବୋହିଲେ ସେହି ଅନ୍ନ ନ ସରଇ ।୩୨୯।
ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ ।
ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ ।୩୩୦।
ହଟି କମଳିନୀ ତ‌ହୁଁ ହଟ ଭିଆଇଲେ ।
ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ ।୩୩୧।
ଅତିଶୀଘ୍ର ଟାଣ ଖରା କର ତୁମ୍ଭେ ଯାଇ ।
ବାଲି ମାଟି ତାତୁ ବେଗେ ଡ‌ହ ଡ‌ହ ହୋଇ ।୩୩୨।
ତାତିବ ଖରାରେ ଯେହ୍ନେ ଭାଜିବାର ବାଲି ।
ପାଦେ ମାତ୍ର କେହି ତ‌ହିଁ ନ ପାରିବେ ଚାଲି ।୩୩୩।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।
ଏଡ଼େ ବଡ଼ ଖରାରେ ମୁଁ ଚାଲି ନ ପାରଇ ।୩୩୪।
ବେଗ ବେଗ ହୋଇ ତୁମ୍ଭେ ଯାଉଅଛ ଧାଇଁ ।
ବୁଦ୍ଧି ଦିଶୁନାହିଁ ଏବେ କିସ କରିବଇଁ ।୩୩୫।
ଶୁଣି ନ ଶୁଣିଲା ପରି ବଳରାମ ଗଲେ ।
କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ ।୩୩୬।
ସିଂହଦ୍ୱାରେ ପ୍ରବେଶିଣ ଡାକିଲେକ ତ‌ହୁଁ ।
ଡାକ ଶୁଣି ଦାସୀମାନେ ଅଇଲେକ ତ‌ହୁଁ ।୩୩୭।
କେଉଁ ଦାସୀ କହୁଅଛି ଶୁଣ ଆଗୋ ସ‌ହି ।
ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖିନାହିଁ ।୩୩୮।
ଏହିପରି ମୋଟା ହୋଇ ଗୋଟାଏକ ଥିଲା ।
ଆମ୍ଭ ଠାକୁରାଣୀଙ୍କୁ ଯେ ଘରୁ ତଡ଼ିଦେଲା ।୩୩୯।
ଏହି ରୂପେ ଦାସୀମାନେ କୁହାକୁହି ହେଲେ ।
ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ ।୩୪୦।
ବଳରାମ ପ୍ରଭୁ ତ‌ହିଁ ଲେଉଟି ଅଇଲେ ।
ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ ।୩୪୧।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।
ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ ।୩୪୨।
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା ।
କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା ।୩୪୩।
ଆଉଥରେ ଚାଲ ବେନି ଭାଇ ଫେରିଯିବା ।
ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା ।୩୪୪।
ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ ।
ଆଗରେ ଥାଇଣ ଅନ୍ନ ତୁହି ଯେ ମାଗିବୁ ।୩୪୫।
ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେକଲେ ।
ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ ।୩୪୬।
ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ ।
ଓଁକାର ଶବଦ କରି ବେଦ‌ଧ୍ୱନି କଲେ ।୩୪୭।
ଋକ୍, ସାମ, ଯଜୁଃ ଯେ ଅଥର୍ବ ଚାରି ବେଦ ।
ବ୍ରହ୍ମାଣ୍ଡ ପୁରିଉଠିଲା ଗ‌ହଗ‌ହ ନାଦ ।୩୪୮।
ପଲଙ୍କ ଉପରେ କମଳା ଯେ ଶୋଇଥିଲେ ।
ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ।୩୪୯।
କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ ।
ମୋର ଘରେ ବିଜେ କଲେ ପ୍ରଭୁ ଦେବରାୟ ।୩୫୦।
ପଚାର ପଚାର ଦାସୀ ପଚାର ଲୋ ଯାଇ ।
କିସ ମାଗୁଛନ୍ତି ଯେ ବ୍ରାହ୍ମଣ ବେନିଭାଇ ।୩୫୧।
ଚାଲିଯାଇ ମୁଦୁ୍ସୁଲି ତାଙ୍କୁ ପଚାରିଲେ ।
କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ ।୩୫୨।
ଜଗନ୍ନାଥ କହୁଛନ୍ତି ଦାସୀମୁଖ ଚାହିଁ ।
ଅନ୍ନ ଗଣ୍ଡାଏକ ତୁମ୍ଭେ ପାରିବକି ଦେଇ ।୩୫୩।
ଏମନ୍ତ ଶୁଣିଣ ଦାସୀମାନେ ଚଳିଗଲେ ।
ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ ।୩୫୪।
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି ।
ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ ।୩୫୫।
ଏ କଥା ଅରଜି ଅଛି ଚଣ୍ଡାଳୁଣୀ ମୁହିଁ ।
ଏବେ ଦାସୀମାନେ ଲୋ ପଚାର ବେଗେ ଯାଇ ।୩୫୬।
ବ୍ରାହ୍ମଣ ହୋଇ ମୋ ଘରେ କି ଖାଇବେ ।
ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ ।୩୫୭।
ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ ।
ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇଁ ।୩୫୮।
ଠାକୁରାଣୀ ସମୀପରୁ ଦାସୀମାନେ ଗଲେ ।
ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ ।୩୫୯।
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି ।
କ୍ଷୁଧାତୁର ହୋଇ କହ‌ନ୍ତି ହଳପାଣି ।୩୬୦।
ନୂଆ ହାଣ୍ଡି ନୂଆ ସଞ୍ଚା ଦେଇ କି ପାରିବୁ ।
ଏମନ୍ତ ବୋଇଲେ ଆମ୍ଭେମାନେ ଯେ ଖାଇବୁ ।୩୬୧।
ଦାସୀମାନେ କହ‌ନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ ।
ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ ।୩୬୨।
ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ ।
ଦାସୀଙ୍କ ହସ୍ତରେ ହାଣ୍ଡି ଦଶଗୋଟି ଦେଲେ ।୩୬୩।
ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ ।
ଲେଉଟିଆ ଶାଗ ନେଇ ଛାମୁରେ ରଖିଲେ ।୩୬୪।
ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ ।
ଦୁଧ ଦ‌ହି ଛେନା ଶର୍କରା ଯେ ଦେଲେ ପୁଣ ।୩୬୫।
ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ହୋ ବୋଇଲେ ।
ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ ।୩୬୬।
ରାନ୍ଧଣା ଭୁଞ୍ଜିବେ ଯଦି ହାତେ ଦୁଇ ଭାଇ ।
ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କିମ୍ପାଇଁ ।୩୬୭।
ଲକ୍ଷ୍ମୀଦେବୀ କାଷ୍ଠ ଖଣ୍ଡେ ହାତରେ ଧରିଲେ ।
ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ ।୩୬୮।
କଦାପି ଅଗ୍ନି ଦେବତା ତେଜ ନ ହୋଇବ ।
ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ ।୩୬୯।
ଯେତେ କାଠ ଜଳୁଥିବା ଭଷ୍ମ ହୋଇଯିବ ।
କୁହୁଳି କରିଣ ତ‌ହୁଁ ଧୁଆଁ ହେଉଥିବ ।୩୭୦।
ଏମନ୍ତ ବୋଲିଣ କମଳା ଯେ ଆଜ୍ଞା ଦେଲେ ।
ସେହି ପ୍ରକାରେଣ ଅଗ୍ନି ଦେବତା ଯେ କଲେ ।୩୭୧।
ସବୁ କାଠ‌ଯାକ ତ‌ହିଁ ଅଙ୍ଗାର ଯେ ହେଲା ।
ତେବେ ସୁଦ୍ଧା କିଞ୍ଚିତେ ଯେ ପାଣି ନ ତାତିଲା ।୩୭୨।
ହଟି କମଳିନୀ ହଟ ଭିଆଇଲେ ଯେଣୁ ।
ହାଣ୍ଡିତଳେ କଳା ଟିକେ ନ ପଡ଼ିଲା ତେଣୁ ।୩୭୩।
ସୁଗନ୍ଧ ତଇଳ ଦେବୀ ଦେଲେ ପଠିଆଇ ।
ଦାସୀମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଯାଇ ।୩୭୪।
ପାକସିଦ୍ଧି ହେଲା କି ନ ହେଲା ହେ ଗୋସାଇଁ ।
ତଇଳ ଲଗାଇ ସ୍ନାନ କର ବେଗେ ଯାଇ ।୩୭୫।
ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା ।
କି ପାକ କରିବୁ ବେଳ ଉଛୁର ହୋଇଲା ।୩୭୬।
ବଳରାମ କହୁଛନ୍ତି ଶୁଣରେ କହ‌୍ନାଇ ।
ଅନ୍ନ ହୋଇଲାକି ନାହିଁ କହ ବେଗେ ତୁହି ।୩୭୭।
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ ।
ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ ।୩୭୮।
ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ ।
ରାନ୍ଧି ନ ଜାଣି ହୋଇଅଛୁ ରାନ୍ଧୁଣିଆ ।୩୭୯।
ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇଁ ।
ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ ।୩୮୦।
ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ ।
କାଠ ଖଣ୍ଡେ ଘେନିଣ ଯେ ହାଣ୍ଡି ପିଟିଦେଲେ ।୩୮୧।
କ୍ଷୁଧାତୁର ଦୁଇଭାଇ ଆକୁଳ ହୋଇଲେ ।
କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ ।୩୮୨।
ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁନାହିଁ ।
କ୍ଷୁଧାରେ ଆତୁର ହେଉଅଛି ମୋର ଦେହୀ ।୩୮୩।
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ।
ଜାତି ପଛେ ଯାଉ ତାର ଘରେ ଖାଉ ଭାତ ।୩୮୪।
ଯେବେ ଏହା ଘରୁ ଭାତ ଆମ୍ଭକୁ ନ ଦେବ ।
ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ।୩୮୫।
ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ ।
ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ ।୩୮୬।
ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ ।
କେତେ ଦୁଃଖ ଦୀନବନ୍ଧୁ ଦୁହେଁ ଯେ ପାଇଲେ ।୩୮୭।
ସୁବର୍ଣ୍ଣର ଚଟୁ ଗୋଟି ହାତରେ ଧଇଲେ ।
ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ ।୩୮୮।
ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ ।
ମୁଗ ମଧୁରୁଚି କ୍ଷୀର ନାନାଦି ବ୍ୟଞ୍ଜନ ।୩୮୯।
ଆମ୍ବିଳ ଶାକର କଲେ କଦଳୀର ଭଜା ।
ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା ।୩୯୦।
ଷାଠିଏ ପଉଟି ସେ ରନ୍ଧନ କଲେ ଯାଇ ।
ବଗଡ଼ା ଭାତ ମହିମା କଳନା ନ ଯାଇ ।୩୯୧।
ଦୁଧପୁଳି କଲେ ମାତ ଘୃତପୁଳି କଲେ ।
ଅତି ଯତନରେ ମାଏ ସରପୁଳି କଲେ ।୩୯୨।
ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କ ରୁଚି ।
ବଡ଼ିର ମହୁର କଲେ ପକାଇଣ ସାଚି ।୩୯୩।
ସ‌ହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ ।
ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ ।୩୯୪।
କର୍ପୂର ଛେନା ଶର୍କରା ମରିଚ ଗୋଳାଇ ।
ଷାଠିଏ ନଉତି ପଣା ରଖିଲେ ତ ତ‌ହିଁ ।୩୯୫।
ରଙ୍ଗବାଣ ପଇଡ଼ ସଙ୍ଗରେ ଛେନାପଣା ।
ଅଦା ମିଶା କରି ଯେ ନବାତ ଖଣ୍ଡଛେନା ।୩୯୬।
ଲକ୍ଷ୍ମୀଙ୍କର ପାକଗୁଣ କେ କହି ପାରିବ ।
କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ ।୩୯୭।
ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ ।
ଭୋଜନ ଶେଷକୁ ପୋଡ଼ପିଠାଏ ରଖିଲେ ।୩୯୮।
ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ ।
ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ।୩୯୯।
ବ୍ରାହ୍ମଣମାନଙ୍କ ମୁହିଁ ଅଟେ ନିଜ ଦାସୀ ।
ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ ।୪୦୦।
ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ ।
ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ ।୪୦୧।
ତ‌ହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ ।
ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ ।୪୦୨।
ପିତାମ୍ବର ପାଟ ଆଣି ପିନ୍ଧିବାକୁ ଦେଲେ ।
ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ ।୪୦୩।
ବଳରାମ କହୁଛନ୍ତି ଶୁଣରେ କହ‌୍ନାଇ ।
ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ ।୪୦୪।
ଏହା ଘରେ ପୁରୁଷ ତ ଜଣେ ଦିଶୁନାହିଁ ।
ଶୂଳି ଦେବା ପ୍ରାୟେ ଏହି ବିଚାର ଦିଶଇ ।୪୦୫।
ଚାଲ ଏବେ ପଳାଇଣ ଏହିଠାରୁ ଯିବା ।
କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା ।୪୦୬।
ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ ।
ଏ ଘରର କର୍ତ୍ତା ଆଜି ହୋଇବେ ଆପଣ ।୪୦୭।
ବଳରାମ କହୁଛନ୍ତି ଶୁଣରେ କହ‌୍ନାଇ ।
ଏମନ୍ତ କହିବା ତୋର ଉଚିତ ନୁହଇଁ ।୪୦୮।
ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ ।
ଗନ୍ଧ ଚନ୍ଦନ ଯେ ମାଏ ଛଡ଼ା ପକାଇଲେ ।୪୦୯।
ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନାଝରି ।
ହାତଧୂଆ ପାଦ‌ଧୂଆ ସୁସଜ୍ଜିତ କରି ।୪୧୦।
ମଣୋହି କରିବା ବିଧି ଯେମନ୍ତ ଭିଆଣ ।
ସୁବର୍ଣ୍ଣର ପୀଠ ତ‌ହିଁ କଲେକ ନିର୍ମାଣ ।୪୧୧।
ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ ।
ବେଗ କରି ପ୍ରଭୁଙ୍କୁ ଲୋ ଘେନିଆସ ଯାଇ ।୪୧୨।
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ ।
ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ ।୪୧୩।
ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ ।
ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ ।୪୧୪।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।
ନାରୀଏ ଜଣେ ପୁରୁଷ କେହି ଏଥି ନାହିଁ ।୪୧୫।
ଭିତରକୁ ଯିବା ଆମ୍ଭ ଉଚିତ ନୁହଁଇ
ପତ୍ର ଦୁଇଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ ।୪୧୬।
ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ ।
ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ ।୪୧୭।
କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ ।
ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇ ।୪୧୮।
ଭୟେ ବଳରାମ ସେ ଠାବରୁ ନ ଉଠନ୍ତି ।
ହସ୍ତ ଧରି ଘେନିଗଲେ କମଳାଙ୍କ ପତି ।୪୧୯।
ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି ।
ହସ୍ତ ଧରି ବସାଇଲେ ଦେବ ଶିରୀପତି ।୪୨୦।
କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ ।
ଦେଢ଼ଶୂର ଅଟନ୍ତି ଯେ ମୋର ହଳପାଣି ।୪୨୧।
ତାହାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ ।
ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ ।୪୨୨।
ସାନ କିଏ ବୋଲି ଆଗ ପଚାରିବୁ ଯାଇ ।
ବଡ଼ଠାରେ ଆଗ ଅନ୍ନ ପରଶିବୁ ନେଇ ।୪୨୩।
ଅନ୍ନଥାଳି ନେଇ ଆଗ ବ୍ରାହ୍ମଣୀ ଅଇଲା ।
ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା ।୪୨୪।
ବଳରାମ ବୋଲୁଛନ୍ତି ହୋଇଲୁକି କାଣୀ ।
ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି ।୪୨୫।
ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି ।
ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ ।୪୨୬।
ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା ।
ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା ।୪୨୭।
ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ ।
ଚାରି ଗ୍ରାସରେ ଖାଇଲେ ବଳରାମ ତାକୁ ।୪୨୮।
ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା ।
ଏ ପଣ୍ଡାର ଅନ୍ନ‌ଯାକ କିଏ ଘେନିଗଲା ।୪୨୯।
ବଳରାମ ବୋଇଲେ କ୍ଷୁଧାର୍ତ୍ତ ହୋଇଥିଲୁ ।
ଆଗ କରି ଚାରି ଗ୍ରାସ ବେଗେ ଖାଇଦେଲୁ ।୪୩୦।
ହସିଲା ବ୍ରାହ୍ମଣୀ ଦୁଇଭାଇଙ୍କୁ ଅନାଇ ।
କୁଟୁମ୍ଭ ମାରିବା ପ୍ରାୟ ଦିଶୁଛ ଗୋସାଇଁ ।୪୩୧।
ପୁତ୍ର ଭାରିଜାକି ତୁମ୍ଭ ଦୁହିଙ୍କର ନାହିଁ ।
ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ ।୪୩୨।
ସ‌ହସ୍ର କାନ୍ଧି କଦଳୀ ରଖିଦେଲେ ନେଇ ।
ଷାଠିଏ ନଉତି ପଣା ରଖିଦେଲେ ଥୋଇ ।୪୩୩।
ଯେଉଁପରି ପ୍ରଭୁଙ୍କର ମନ‌କୁ ରୁଚଇ ।
ସେହିପରି କମଳିନୀ ଦିଅନ୍ତି ପଠାଇ ।୪୩୪।
ଭୋଜନ ଶେଷକୁ ଯେ କହ‌ନ୍ତି ବଳରାମ ।
ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ ।୪୩୫।
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ।
ଲକ୍ଷ୍ମୀପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ ।୪୩୬।
ଲକ୍ଷ୍ମୀଙ୍କୁ ଭର୍ତ୍ସନା କରି ଦେଲେ ଘଉଡ଼ାଇ ।
ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଯହିଁ ।୪୩୭।
ଏମନ୍ତ ସମୟେ ପୋଡ଼ପିଠା ଦେଲେ ନେଇ ।
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ।୪୩୮।
ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ ।
ଭୋଜନ ଶେଷକୁ ପୋଡ଼ପିଠାଏ ଦିଅଇ ।୪୩୯।
ଭୋଜନ ସାରିଣ ପ୍ରଭୁ ଆଚମନ କଲେ ।
କର୍ପୁର ତାମ୍‌ବୁଳ(ତାମ୍ୱୁଳ) ଦୁଇ ଭାଇ ଯେ ଭୁଞ୍ଜିଲେ ।୪୪୦।
ବାହାର ମେଲାରେ ପ୍ରଭୁ ବିଜେକଲେ ଯାଇଁ ।
ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ।୪୪୧।
ପଚାର ପଚାର ଦାସୀ ପଚାରଲୋ ଯାଇ ।
ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ ।୪୪୨।
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ ।
ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ ।୪୪୩।
ପୁତ୍ର ଭାର୍ଯ୍ୟା ଅଛନ୍ତି କି କାହିଁ ତୁମ୍ଭ ଘର ।
କେଉଁ ରାଜ୍ୟେ ବାଡ଼ି ବୃତ୍ତି ଶାସନ ତୁମ୍ଭର ।୪୪୪।
ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି ।
ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ ।୪୪୫।
ଗୁଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ ।
ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ ।୪୪୬।
କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୁଲୁ ।
ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ ।୪୪୭।
ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ ।
ନାରୀକି ଛାଡ଼ି ପୁରୁଷ ଦରିଦ୍ର କି ହୋଇ ।୪୪୮।
ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ ।
କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ ।୪୪୮।
କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ ।
କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ ।୪୪୯।
କେଉଁ ନାରୀ ଥିଲେ ସୁନା ବଳା ଯେ ମିଳଇ ।
କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ ।୪୫୦।
ତୁମ୍ଭ ସାଆନ୍ତାଣୀଙ୍କୁ ଯେ ପଚାର ବୋଲଇ ।
ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ ।୪୫୧।
କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ ।
ଆମ୍ଭ ସାଆନ୍ତାଣିଙ୍କୁ ଯେ ପଚାର ବୋଇଲ ।୪୫୨।
ବଳରାମ ବୋଇଲେ ଏ ମୋର ପିଲା ଭାଇ ।
ତୁମ୍ଭ ସାଆନ୍ତାଣୀ ଆଗେ ଜଣାଇବ ନାହିଁ ।୪୫୩।
ଜଗନ୍ନାଥ କହୁଛନ୍ତି ଭୟ କାହିଁପାଇଁ ।
କିଛି ନ ବିଚାର ଆହେ ବଳରାମ ଭାଇ ।୪୫୪।
ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେ ଏହି ।
ଏଠାରେ ଆପଣ ଭୟ କର କିସ ପାଇଁ ।୪୫୫।
ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର ।
ତୁମ୍ଭେ ଯାଇଁ ହସ୍ତଧରି ମହାଲକ୍ଷ୍ମୀଙ୍କର ।୪୫୬।
ଆମ୍ଭ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ ।
ଯହିଁ ଇଚ୍ଛା ତ‌ହିଁ ରହ ଆମ୍ଭ ମନା ନାହିଁ ।୪୫୭।
ଯେତେବେଳେ ବଳରାମ ଏମନ୍ତ କହିଲେ ।
ଭିତର ପୁରକୁ ପ୍ରଭୁ ନିଜେ ବିଜେ କଲେ ।୪୫୮।
ଧୀରେ ଧୀରେ ଭିତରକୁ ଗଲେ ପୀତବାସ ।
ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ ।୪୫୯।
ପାଣିଝରି ଘେନିକରି କମଳା ଅଇଲେ ।
ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ ।୪୬୦।
ଅତି ଯତନରେ ଦେଲେ ପାଦପଦ୍ମ ଧୋଇ ।
ଥୋପାଏ ପାଦ ଉଦକ ମସ୍ତକେ ଲଗାଇ ।୪୬୧।
କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ ।
ପଞ୍ଚବର୍ଣ୍ଣ ପୁଷ୍ପେ ପାଦପଦ୍ମ ପୂଜାକଲେ ।୪୬୨।
ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ ।
ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ ।୪୬୩।
ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ ।
ଚଣ୍ଡାଳ ବିଟାଳ ହେଲ ଦୁଇଗୋଟି ଭାଇ ।୪୬୪।
ଧିକ ତୁମ ବଡ଼ପଣ ଧିକ ତୁମ କଥା ।
ପୋଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା ।୪୬୫।
ମହାଲକ୍ଷ୍ମୀ ଏ ପ୍ରକାରେ ବ‌ହୁ ଧିକାରିଲେ ।
କାଳୀୟ ଗଞ୍ଜନ ଶୁଣି କିଛି ନ କହିଲେ ।୪୬୬।
ମହାମୟୀ ବୋଇଲେ ହେ ଶୁଣ ମୋ ବଚନ ।
ମୋର କିସ କାର୍ଯ୍ୟ ତୁମ୍ଭେ କହ ହେ ବ‌ହ‌ନ ।୪୬୭।
କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ ।
ଏବେ ମନୁ ମାନ ତେଜ ଜଗତର ମାତ ।୪୬୮।
ଅକାରଣେ ଏତେ କଥା କହ ପ୍ରାଣସ‌ହି
ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବାପାଇଁ ।୪୬୯।
ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ ।
ରବି ତଳେ ସବୁ ଯୁଗେ ଯଶ ରଖିଗଲ ।୪୭୦।
ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବ‌ହୁତ ।
ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ ।୪୭୧।
ତୁମ୍ଭ ଯଶ କିର୍ତ୍ତୀ ଏବେ ଜଗତେ ରହିଲା ।
ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା ।୪୭୨।
ଗୁରୁବାର ଦିନ ଏ ପୁରାଣ ଯେ ଶୁଣିବ ।
ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ ।୪୭୩।
ଲକ୍ଷ୍ମୀପୂଜା ଦିନ ଏହା ଯେ ନାରୀ ଗାଇବ ।
ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ ।୪୭୪।
ଯଦ୍ୟପି ନାରୀକୁ କେହି ମୁଖେ ବୁଝାଇବ ।
ତାହାର ସୁକୃତ ଆଉ କେ କହି ପାରିବ ।୪୭୫।
ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ ।
ଜଗତ ମାତ କହିଲେ କର ତୁମ୍ଭେ ସତ୍ୟ ।୪୭୬।
ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ ।
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।୪୭୭।
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ ।
ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।୪୭୮।
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ ।
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ।୪୭୯।
ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ ।
ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ ।୪୮୦।
ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ ।
ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ ।୪୮୧।
ଲକ୍ଷେ ଚନ୍ଦ୍ର ଉଦିଆଯେ ଛାମୁରେ ଜଳଇ ।
ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ ।୪୮୨।
ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା ।
ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା ।୪୮୩।
ବରୁଣ କୁବେର ଯେ ହସ୍ତରେ ବେତ ଧରି ।
ନୃତ୍ୟ କରୁଥିଲେ ଯହିଁ ସ୍ୱର୍ଗ ଅପସରି ।୪୮୪।
ରମ୍ଭା ଯେ ମେନ‌କା ଆଦି ଆଉ ଚିତ୍ରଲେଖା ।
ତୁଳସୀ ମାଳତି ଆଉ ଅନ୍ୟାନ୍ୟ ରସିକା ।୪୮୫।
ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା ।
ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା ।୪୮୬।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।
ଘରକୁ ଘରଣୀ ସିନା ସୁନ୍ଦର ଦିଶଇ ।୪୮୭।
ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ ।
ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ ।୪୮୮।
ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ ।
ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ ।୪୮୯।
ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ ।
ଦୁଇ ଭାଇ ବିଜେ କଲେ ବଡ ଦେଉଳକୁ ।୪୯୦।
ଦାସୀ ପରିଚାରି ଆଦିକରି ଯେତେ ଥିଲେ ।
ଲକ୍ଷ୍ମୀ ଆସିଲାରୁ ସେ ସମସ୍ତ ଯେ ଅଇଲେ ।୪୯୧।
ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ ।
ସଂସାରରେ ସେହି ମତେ କଲେକ ଗୋବିନ୍ଦ ।୪୯୨।
ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା ।
ଯାହା ପ୍ରସନ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା ।୪୯୩।
ଛାର ଚଣ୍ଡାଳୁଣୀ ଅଇଶ୍ୱର୍ଯ୍ୟ ଭୋଗ କଲା ।
ଲକ୍ଷ୍ମୀଙ୍କର ସୁଦୟାରେ ଏମନ୍ତ ହୋଇଲା ।୪୯୪।
ଏ ପୁରାଣ ପଢ଼ିଲେ ଯେ ସର୍ବ ସିଦ୍ଧି ହୁଏ ।
ସୂର୍ଯ୍ୟୋଦୟ ସମ ତମ ପାପ କ୍ଷୟ ହୁଏ ।୪୯୫।
ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି ।
ଲକ୍ଷେ କୋଟି ଗୋଦାନର ଫଳ ଯେ ଲଭନ୍ତି ।୪୯୬।
ଏ ପୁରାଣ ଅଟଇ ଯେ ମୁକତିର ପଥ ।
ଏହା ଫଳ କଥନରେ କେ ହେବ ସମର୍ଥ ।୪୯୭।
ଲକ୍ଷ୍ମୀଙ୍କ ପୁରାଣ ଏହୁ ସମାପ୍ତ ହୋଇଲା ।
ଭାବେ ବଳରାମ ଦାସ ଗୀତରେ କହିଲା ।୪୯୮।
॥ ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମାପ୍ତ ॥

Granth Laxmi Purana GranthManabasa Gurubar Purana GranthLaxmi Purana GranthMaha Laxmi Purana Granth

अगर आपको यह ग्रंथ पसंद है, तो कृपया शेयर, लाइक या कॉमेंट जरूर करें!

इस ग्रंथ को भविष्य के लिए सुरक्षित / बुकमार्क करें Add To Favorites
* कृपया अपने किसी भी तरह के सुझावों अथवा विचारों को हमारे साथ अवश्य शेयर करें।

** आप अपना हर तरह का फीडबैक हमें जरूर साझा करें, तब चाहे वह सकारात्मक हो या नकारात्मक: यहाँ साझा करें

विनय पत्रिका

गोस्वामी तुलसीदास कृत विनयपत्रिका ब्रज भाषा में रचित है। विनय पत्रिका में विनय के पद है। विनयपत्रिका का एक नाम राम विनयावली भी है।

श्री रामचरितमानस: सुन्दर काण्ड: पद 41

बुध पुरान श्रुति संमत बानी । कही बिभीषन नीति बखानी ॥ सुनत दसानन उठा रिसाई ।..

श्री रामचरितमानस: सुन्दर काण्ड: पद 44

कोटि बिप्र बध लागहिं जाहू । आएँ सरन तजउँ नहिं ताहू ॥ सनमुख होइ जीव मोहि जबहीं ।..

Download BhaktiBharat App