Shri Hanuman Bhajan
Follow Bhakti Bharat WhatsApp Channel - Follow Bhakti Bharat WhatsApp ChannelDownload APP Now - Download APP NowHanuman Chalisa - Hanuman ChalisaRam Bhajan - Ram Bhajan

ଓଡ଼ିଆରେ ସାବିତ୍ରୀ ବ୍ରତ କଥା (Savitri Vrat Katha in Odia)


ଓଡ଼ିଆରେ ସାବିତ୍ରୀ ବ୍ରତ କଥା
Add To Favorites Change Font Size
ସାବିତ୍ରୀ ବ୍ରତ
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ॥
ଜଗତ ହିତେ ଦେହଧରି । ଧରାରେ ଧର୍ମ ରକ୍ଷାକରି ॥
ସକଳ ବ୍ରତର କାରଣ I ଶ୍ରୀକୃଷ୍ଣ ସ୍ଵୟଂ ଭଗବାନ ॥
କୃଷ୍ଣଙ୍କୁ ଯୁଧୁଷ୍ଠିର ଦିନେ । ପଚାରିଲେ ସଖା ଆପଣେ ॥
କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହି ॥
କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ ॥
ଶଙ୍ଖା ସିନ୍ଦୂର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ ॥
ସୌଭାଗ୍ୟବତୀ ଧନବତୀ । ହେବେ ସେ ପତିବ୍ରତା ସତୀ ॥
ବୈଧବ୍ୟ ଦଶା ନ ଭୋଗିବେ । ମରଣେ ସ୍ୱର୍ଗପ୍ରାପ୍ତ ହେବେ ॥
ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ॥
ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟ ସାର ॥
ସାବିତ୍ରୀ ବ୍ରତ ଅଟେ ସେହି । ସେକଥା ଶୁଣ ମନଦେଇ ॥
ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ
ସାବିତ୍ରୀ ଉଆଁସଟି ସେହି । ସେଦିନ ଏ ବ୍ରତ ହୁଅଇ ॥
ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳଇ ମର୍ତ୍ତ୍ୟରେ ॥
ତାହାର ନାହିଁ ପଟାନ୍ତର । ହେ ଶୁଣ ପାଣ୍ଡବ ସତ୍ଵର ॥
ଏକଥା ଯୁଧୁଷ୍ଠିର ଶୁଣି । କୃଷ୍ଣଙ୍କୁ ପଚାରିଲେ ପୁଣି ॥
ଏ ବ୍ରତ କେବେ କେଉଁନାରୀ । କି ଫଳ ପାଇଲେ ଆଚରି ॥
ଏକଥା ଶୁଣି ବେଣୁପାଣି । କହିଲେ ଅତୀତ କାହାଣୀ ॥
ମଦ୍ରଦେଶର ନରପତି । ତାହାଙ୍କ ନାମ ଅଶ୍ଵପତି ॥
କୌଶଲ୍ୟା ରାଣୀଙ୍କର ନାମ । ଧନଧାନ୍ୟରେ ରାଜ୍ୟପୂର୍ଣ୍ଣ ॥
ପ୍ରଜାବତ୍ସଳ ଅଶ୍ଵପତି । ନ୍ୟାୟରେ ରାଇଜ ପାଳନ୍ତି ॥
ରାଜାରାଣୀଙ୍କ ବଡ଼ ଚିନ୍ତା । ନଥାଏ ପୁତ୍ର କି ଦୁହିତା ॥
କୋଳରେ ନଥିଲେ ସନ୍ତାନ । ପୂର୍ଣତା ନଲଭେ ଜୀବନ ॥
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ॥
ସାଧୁ ପଣ୍ଡିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆଚରିଲେ ॥
ଅଠର ବର୍ଷ ଅବିରତ । ଚାଲିଲା ହୋମାହୁତି ମନ୍ତ୍ର
ପୂର୍ଣାହୁତିର ପୂର୍ବନିଶି । ସପନେ ରାଣୀହେଲେ ଖୁସି ॥
ସୁନ୍ଦରୀ ଝିଅଟିଏ କେହି । ମା' ମା' ବୋଲି ଡାକଦେଇ ॥
ରାଣୀଙ୍କ କୋଳେ ଖେଳୁଥିଲା । ସପନ ଶେଷେ ଚାଲିଗଲା ॥
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ ॥
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣାହୁତି ପାଇଁ ॥
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ ॥
ଅପୂର୍ବ ଜ୍ୟୋତିର୍ମୟା ଦେବୀ । ତେଜରେ କମ୍ପିଲା ପୃଥ‌ିବୀ ॥
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ ॥
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ ॥
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ତୁମର ଭକ୍ତିନିଷ୍ଠା ॥
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେ ଲାଗି କଲି ବରଦାନ ॥
ଲଭିବ ତୁମେ କନ୍ୟାରନ୍ । ପୁତ୍ରକୁ ନ କରିଣ ମନ ॥
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକା ଦେବଭରି ॥
ଚକିତେ ପୂର୍ଣାହୁତି ସାରି । ଯେ ଯାହାଗୃହେ ଗଲେ ଚଳି ॥
ସପନ ଦେଖୁଲେ ଯେ ରାଣୀ । ସେ ଥିଲା ସପନ କାହାଣୀ ॥
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା ॥
ଯାଇଛି ଅଳ୍ପଦିନ ବିତି । ରାଣୀ ହୋଇଲେ ଗର୍ଭବତୀ ॥
ରାଜାଙ୍କୁ ଚାହିଁଦେଲେ ହସି । ପ୍ରୀତିର ଅମୃତ ବରଷି ॥
ଆସିଲା ମନେ ଆଶାକଲି । ମରୁରେ ମାରିଲା ବିଜୁଳି ॥
ଉଚିତ୍ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ ॥
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କୋଳେ ନେଲା ଜନ୍ମ ॥

ସାବିତ୍ରୀ ଯଜ୍ଞ ପୁଣ୍ୟଫଳେ । ସେ କନ୍ୟା ଜନମିଲା କୋଳେ ॥
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ ॥
ଶୁକ୍ଳ ପକ୍ଷର ଶଶୀପରି । ବଢ଼ିଲା ସାବିତ୍ରୀ କୁମାରୀ ॥
ଛୁଇଁଲା ଯେବେ ଯଉବନ । ପିତା ମାତା ଯେ ଚିନ୍ତାମଗ୍ନ ॥
ନିଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ଵୟମ୍ବର ॥
ଆସିଲେ ଯେତେ ଯୁବରାଜ। ବାହୁଡ଼ିଗଲେ ପାଇ ଲାଜ ॥
ସାବିତ୍ରୀଙ୍କର ତେଜ ଜ୍ୟୋତି । ମନରେ ତାଙ୍କ ହେଲା ଭୀତି ॥
ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି ॥
ସ୍ଵୟମ୍ବର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା ॥
ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ ॥
ଦିନେ ମାଣ୍ଡବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର ॥
କୁଶଳ ବାର୍ଭା ପଚାରିଲେ । ସକଳ ବିଷୟ ଶୁଣିଲେ ॥
ଉପାୟ ଏକ ଭାବିଚିନ୍ତି । କହିଲେ ଶୁଣ ଅଶ୍ଵପତି ॥
ନିଜର ସ୍ଵାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ ॥
ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି ॥
ରାଜା ଯେ ଅନୁମତି ଦେଲେ । ବିହିତ ଆୟୋଜନ କଲେ ॥
ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ ॥
ଭୂମି ନଗର ଗିରିବନ । ଦେଖିଲେ ରମ୍ୟ ତପୋବନ ॥
ସେ ତପୋବନ ଆଶ୍ରମରେ । ଋଷି ତପସ୍ଵୀ ଗ୍ରହଣରେ ॥
ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପବହି ॥
ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ॥
ଦେଖୁ ସେ ଯୁବକ ମଣିକୁ । ପ୍ରୀତି ଛୁଇଁଲା ସାବିତ୍ରୀକୁ ॥
ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ ॥
ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ ॥

ଏକାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ ॥
ତାହାଙ୍କ ପାଦେ ଢାଳି ମତି । । ନମିଲେ ରାଜା ଅଶ୍ଵପତି ॥
ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ ॥
କହିଲେ ଶୁଣ ଅଶ୍ୱପତି। ଉଚିତ ନୁହେଁ ତୁମ୍ଭ ନୀତି ॥
ଏହି ଯେ ବିଧୂର ବିଧାନ। ଦେବାକୁ ହେବ କନ୍ୟାଦାନ॥
ତୁରନ୍ତ ଦାନ ମହାପୁଣ୍ୟ। ହୁଅ ହେ ରାଜା ସାବଧାନ ॥
କହିଲେ ରାଜା ଯୋଡ଼ି ହାତ। ମୁନିଙ୍କୁ ସକଳ ବୃତ୍ତାନ୍ତ ॥
ସାବିତ୍ରୀ ହୋଇ ଲଜ୍ଜାନତ । ଜଣାଇ ଦେଲେ ନିଜ ମତ ॥
ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର ॥
କହିଲେ ପତି ନାହିଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି ॥
ଏବେ ବି ଅଛି ପ୍ରତିକାର । ସେ କଥା ମନୁ କରଦୂର ॥
ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ଵାମୀ ଯମପୁରେ ॥
ନିଶ୍ଚୟ ବିଧବା ହୋଇବ । ଏ ମୁନିବାକ୍ୟ ସତ୍ୟହେବ ॥
ଶୁଣି ଚଳିଲେ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି ॥
ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ ॥
କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ ॥
ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ ॥
ଶାଲ୍ବ ଦେଶର ରାଜା ସେହି । ଦ୍ୟୁମତସେନ ନାମ ବହି ॥
ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା ॥
ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟରୁ ବିତାଡ଼ିତ ହେଲେ ॥
ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ ॥
ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ତା'ର ଅଳ୍ପାୟୁଷ ॥
ଆଜିଠୁ ମାତ୍ର ଏକବର୍ଷ । ରହିଛି ତାହାର ଆୟୁଷ ॥
ଆୟୁଷ ଯେବେ ଯିବ ପୁରି । କିହେବ ପ୍ରତିକାର କରି ॥

ଶୁଣ ହେ ରାଜା ଅଶ୍ଵପତି । ତାହାକୁ ବରିଛି ସାବିତ୍ରୀ ॥
ରାଜାଙ୍କ ମଥା ଗଲା ଘୁରି । ଝିଅକୁ କହିଲେ ସେ ଧରି ॥
ଜାଣୁ ଜାଣୁ ମୁଁ ତୋ ସିନ୍ଦୁର । ସିନ୍ଧାନ୍ତ କର ଅନ୍ୟବର ॥
ଏଥୁକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟବର ॥
ନାରଦ ମୁନିଙ୍କୁ ସାବିତ୍ରୀ। କହିଲେ ଶୁଣ ମୋ ନିଷ୍ପରି ॥
ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ଵାମୀ ବିଚାରିଛି ॥
ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର ॥
ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ ॥
ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବିନାହିଁ ॥
ସାବିତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି
କହିଲେ ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି ॥
ଶୁଣ ହେ ରାଜା ଅଶ୍ଵପତି । ଅନ୍ୟରେ ନ ବଳାଅ ମତି ॥
ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ ॥
ସର୍ବକୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ ॥
ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ ॥
ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖ୍ ॥

ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ ॥
ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ ॥
ଶାଶୁ ଶ୍ଵଶୁର ସେବା କରି । ସ୍ଵାମୀ ସଙ୍ଗତେ ସୁକୁମାରୀ ॥
ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ ॥
ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା ॥
ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖୁଥିଲେ॥
ରହିଲା ଆଉ ଚାରିଦିନ । ମୃତ୍ୟୁ ଲଭିବେ ସତ୍ୟବାନ॥
ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା ॥
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ ॥
ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ ॥
ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନାରାୟଣ ॥
ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି ॥
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧୂମାନ ॥
ସପରିବାରେ ଭୁଞ୍ଜାଇଲେ। ନିଜେ ସେ ଉପବାସେ କଲେ ॥
ତୁଣ୍ଡେ ଉଚ୍ଚାରି ପ୍ରଭୁନାମ । ଦେଲେ ବିତାଇ ତିନିଦିନ ॥
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା ॥
କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ ॥
ସଂଗ୍ରହ କଲେ କାଠଭାର । ଚଳିବ ସିନା ଏ ସଂସାର ॥
କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ ॥
ଆଦେଶ କର ଏ ଦାସୀରେ । ଯିବାକୁ ତୁମ ସଙ୍ଗତରେ ॥
ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ ॥
ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶକ୍ତି ନାହିଁ ॥
କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ ॥
ଶରୀର ମଧେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ ॥
ନୀରବ ହେଲେ ସତ୍ୟବାନ । ମଉନେ ସମ୍ମତି ଲକ୍ଷଣ ॥
ଶାଶୁ ଶ୍ଵଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥ୍‌ ହୋଇ ॥
ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ ॥
କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ ॥
କହିଲେ ଶୁଣ ପ୍ରାଣସହି । ମଥା ମୋ ଦେଉଛି ଘୂରାଇ ॥
ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର ॥
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ ॥
ସ୍ଵାମୀଙ୍କ ମଥା କୋଳେ ରଖ୍ । ବସି ନିମିଷେ ଗଲେ ଶଙ୍କି ॥

ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି॥
ହେବ କି ମୁନିବାକ୍ୟ ସତ। ହେବ କି ଶୂନ୍ୟ ଏ ସୀମନ୍ତ॥
ଏକାଳେ ଶୁଣି ସତ୍ୟବାନ। ନୀରବେ ମୁଦିଲେ ନୟନ ॥
ଡାକିଲେ ନଦେଲେ ଉତ୍ତର। ନାହିଁ ଲକ୍ଷଣ ଜୀବନର ॥
ସାବିତ୍ରୀ କରିଲେ ରୋଦନ । କମ୍ପିଲା ବିଜନ କାନନ ॥
ସ୍ଵାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି ॥
ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ ||
ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ ॥
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି ॥
ଯମ ମୁଁ ମୃତ୍ୟୁର ଦେବତା। ଅସହ୍ୟ ମୋର ନିଷ୍ଠୁରତା ॥
ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ ॥
ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି ॥
ତୁମକୁ ଡରି ଦୂତ ମୋର । ବାହୁଡ଼ିଗଲେ ମୋର ପୁର ॥
ସତ୍ୟବାନର ପ୍ରାଣ ପାଇଁ। ଆସିଛି ଏବେ ନିଜେ ମୁହିଁ ॥
ଆୟୁଷ ତା'ର ହେଲା ଶେଷ । ନେବାରେ ମୋର ନାହିଁ ଦୋଷ ॥
ସାବିତ୍ରୀ କରିଲେ ମିନତୀ । ଦୟାକର ହେ ଜନ୍ତୁପତି ॥
ସ୍ଵାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହାକ ମୁଖ ଚାହିଁ ॥
ଯମ କହିଲେ ଶୁଣ ସତୀ । ଜନ୍ମ ଥିଲେ ତ ମୃତ୍ୟୁ ଅଛି ॥
ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନ ଜାଣଇ ॥
ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ ॥
ଫେରି ଚାହିଁଲେ ଖଣ୍ଡେ ଦୂରେ । ସବିତ୍ରୀ ଆସନ୍ତି ପଛରେ ॥
ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ ॥
ସାବିତ୍ରୀ କହିଲେ ଗୋସାଇଁ ସ୍ଵାମୀଙ୍କ ପଥେ ଯାତ୍ରୀ ମୁହିଁ ॥
ସତୀ ନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା ॥

ତୁମେ ତ ନିଜେ ଧର୍ମରାଜ । ଏତିକି କଥା ମନେ ହେଜ ॥
ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି ॥
ସତ୍ୟବାନର ପ୍ରାଣବିନା । ଯେ ବର ମାଗ ହେବ ଘେନା ॥
ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର ॥
ଲଭନ୍ତୁ ଦୃଷ୍ଟିଶକ୍ତି ସେହି । ମାଗୁଛି ଏହି ବର ମୁହିଁ ॥
ତଥାସ୍ତୁ କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ ॥
ଦେଖୁଲେ କିଛିଟବାଟ ଯାଇ । ସାବିତ୍ରୀ ପିଛା ଛାଡ଼ୁନାହିଁ ॥
କହିଲେ ଯମ ଦେଲି ବର । ପୁଣି କମ୍ପାଇଁ ପିଛାକର ॥
ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥୁଲି ମୁହିଁ ॥
ଦେଖୁଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜୀବନେ ||
ତୁମକୁ ଛାଡ଼ି ଯିବା ପାଇଁ । ମନ ତ ମୋର ବଳୁ ନାହିଁ ॥
ସେ ପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ କିମ୍ପା ମିଛେ ॥
ଶୁଣି ଆନନ୍ଦେ ଯମଦେବ । କହିଲେ ଆନବର ମାଗ ॥
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ||
ସାବିତ୍ରୀ କହିଲେ ହେ ଦେବ । ଶ୍ଵଶୁରେ ହେଉ ରାଜ୍ୟ ଲାଭ ॥
ତଥାସ୍ତୁ କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ ॥
ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ ॥
ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର ॥
ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି ॥
ନ୍ୟାୟ ତ ଦେଲ ନାହିଁ ମୋତେ । ତୁମ୍ଭଙ୍କୁ ଛାଡ଼ିବି କେମନ୍ତେ ॥
ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ॥
ଦୁହିତା ଦୁଇକୂଳେ ହିତା । ସେ ପାଇଁ ମୋର ବଡ଼ ଚିନ୍ତା ॥
ତାଙ୍କ ଔରସୁ ଶତପୁତ୍ର । ଜନ୍ମ ରଖନ୍ତୁ ବଂଶର ଗୋତ୍ର ॥
ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ଚାହିଁ ॥

ପିତା ଶ୍ଵଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା ॥
ତଥାସ୍ତୁ କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ ॥
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ ॥
ପଛକୁ ଚାହିଁ ଯମରାଜା । କହିଲେ ଏବେ ଯା' ଫେରିଯା ॥
ସତୀତ୍ଵ ବଳେ ଏତେ ପଥ । ଆସିଲ ତୁମ୍ଭେ ଏହା ସତ୍ୟ ॥
ଏପାରି ଶେଷ ସୀମା ଏହି । ତୁମେ ତ ହେଲ ନରଦେହୀ ॥
ସେପାରି ସୀମା ଛୁଇଁବାକୁ । କେହି ଯେ ନ ଦେବେ ତୁମକୁ ॥
ଏଠାରୁ ହେବି ଅନ୍ତର୍ଦ୍ଧାନ । ସେପାରି ଅଟେ ମହାଶୂନ୍ୟ ॥
ଫେରିଯା ସତୀ ନିଜ ପଥେ । ପାଇବ ନାହିଁ ଆଉ ମୋତେ ॥
ସାବିତ୍ରୀ କହିଲେ ଠାକୁରେ । କି ଲାଭ ଏହି ଜୀବନରେ ॥
ବୁଝେନା ଏପାରି ସେପାରି । କାହିଁକି ଅବା ଯିବି ଫେରି ॥
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ ॥
ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ ॥
ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲେ କଢ଼ାଇ ॥
ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର ॥
ଶୁଣି ବିଚାର କଲେ ଯମ । ଏକଥା ହେଲାଣି ବିଷମ॥
କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର ॥
ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା ॥
ଆଉ ମୁଁ କିଛି ନ ଶୁଣିବି । ତୁରନ୍ତ ମାଗ ଚାଲିଯିବି ॥
ଯମ ଯେ ହେଲେ ତରବର । ସାବିତ୍ରୀ ମାଗିଦେଲେ ବର ॥
ସ୍ଵାମୀଙ୍କ ଔରସରୁ ମୋର । ହୁଅନ୍ତୁ ଶହେଟି କୁମର ॥
ତଥାସ୍ତୁ ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ ॥
ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖୁ ॥
କ୍ରୋଧରେ କହିଲେ ବଚନ । ସରିଛି ମୋର ବରଦାନ ॥
ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜ ନାହିଁ ॥

କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର ॥
ମୋ କଥା କରିଲେ ଅମାନ୍ୟ । ଭୋଗିବ ତା'ର ପରିଣାମ ॥
ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣ ଟିକେ ଭଲେ ॥
ତୁମେ ଯେ ସଞ୍ଜମୀ ପୁରୁଷ । ଶୋଭେନା ତୁମଠାରେ ରୋଷ ॥
ନିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି ॥
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଜିବ ତେବେ ॥
ସ୍ଵାମୀଙ୍କ ଔରସରୁ ମୋର । ଜନ୍ମନେବେ ଶହେ କୁମର ॥
ଏ ବର ତୁମେ ତ ଦେଇଛି । ସ୍ଵାମୀଙ୍କ ପ୍ରାଣ ନେଉଅଛ ॥
ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି ॥
ବରିବି କିବା ଆନପତି । ଉତ୍ତର ଦିଅ ଜନ୍ତୁପତି ॥
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ଯେ ସତ୍ୟ ॥
ସେହି ସତ୍ୟର ରକ୍ଷା ପାଇଁ । ଯମ ଯେ ନିରୁପାୟ ହୋଇ ॥
କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ ॥
ତୁମର ସତୀତ୍ଵ ବଳରେ । ଜିତିଲ ଏ ମହୀ ତଳରେ ॥
ବିଷ୍ଣୁ ଯେମିତି ମାୟାବଳେ । ମୋହିତ କରନ୍ତି ସକଳେ ॥
ସେମିତି ସତୀତ୍ଵ ମାୟାରେ । ମୋହିତ ହେଲି ତୁମଠାରେ ॥
ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେତ ମାଗିନେଲ ଜାଣ ॥
ମୁଁ ଯେ ନିଷ୍ଠୁର କାଳଯମ । ଲଙ୍ଘିଲା ବିଧୂର ନିୟମ ॥
ତୁମର ସତୀତ୍ବକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ ॥
ଖୋଲିଲି ଚର୍ମ୍ଯପାଶ "ମୋର । ଦୀର୍ଘାୟୁ ବୋଲି ଦେଲି ବର ॥
ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି ॥
ସତ୍ୟବାନଙ୍କ ମର ଦେହେ । ପ୍ରାଣ ଭରିବି ପୁନରାୟେ ॥
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ଵାମୀଙ୍କୁ ନିଅ କୋଳେତୋଳି ॥
ସତୀ ପତ୍ନୀର ପରଶରେ । ରୋପିବି ପ୍ରାଣ ଶରୀରରେ ॥
ଏ ତୁମ ଅମର କାହାଣୀ । ଯୁଗକୁ ଯୁଗ ଥୂବ ପୁଣି ॥

ସତୀତ୍ବ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି ॥
ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ ॥
ଫେରିଲେ ମୃତ ସ୍ଵାମୀପାଶେ । କୋଳକୁ ଆଣିଲେ ସନ୍ତୋଷେ ||
ସତେକି କାଉଁରୀ ପରଶେ । ଜହୁକି ଉଠିଲା ଉଆସେ ॥
ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ ॥
ସେମିତି ଉଠି ସତ୍ୟବାନ । ନିରେଖ ସାବିତ୍ରୀ ବଦନ ॥
କହିଲେ ଏତେବେଳ ମୁହିଁ । ଶୋଇ ରହିଲି କାହିଁପାଇଁ ॥
ନପାଇ ଆମର ବାରତା । କ କରୁଥିବେ ପିତାମାତା ॥
ଆମ୍ଭର ପଥେ ସୁକୁମାରୀ । ଆସ ମୋ ବାମକର ଧରି ॥
ଏ ବନ ମୋର ପରିଚିତ । ପଥ ଯେ ହେବ ଅନୁମିତ ॥
ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲେକିତ ॥
ତୁମେ ମୋ ସୀମନ୍ତରେ ଜହ୍ନ । ଚାନ୍ଦିନୀ ତୁମେ ମନବନ ॥
ଏ ବନେ ନାହିଁ ତେଣୁ ଭୟ । ମୋ ପାଇଁ ନହୁଅ ଅଥୟ॥
ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି ॥
ସେ ବନ ପଥରେ ଦମ୍ପତ୍ତି । ଚଳିଲେ ଆନନ୍ଦରେ ଅତି ॥
ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ ଯେ ଝରେ ॥
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି ॥
ପୁଅ ବୋହୂଙ୍କୁ ଦେଖୁପାରି । ଆନନ୍ଦେ ଲୁହ ଗଲା ଝରି ॥
ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତେ ପଚାରି ||
ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି ॥
କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ ॥
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି ॥
ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ ॥
ଯୁବରାଜ ସେ ସତ୍ୟବାନ । କିଣିଲେ ପ୍ରଜାକୂଳ ମନ ॥
ରାଜ୍ୟବାସୀ ଏ ହେଲେ ଗୁଣୀ । ସାବିତ୍ରୀ ଅମର କାହାଣୀ ॥

ଏମିତି କିଛିଦିନ ଗଲା । ଜ୍ୟେଷ୍ଠ ମାସର ଅମାହେଲା ॥
ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ ॥
ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ ॥
ନଡ଼ିଆ କଦଳୀ ଖଜୁରୀ । ଆମ୍ବ ପରସ ଡାଲା ଭରି ॥
ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢ଼ିଲେ ଭକ୍ତିଭରେ ॥
ଦୁବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର ॥
ହଳଦୀ ରଙ୍ଗେ ନବସୁତା । ସାତ ଖୁଅରେ କଲେ ଗୁନ୍ଥା ॥
ଭିଡ଼ିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀ ନାରାୟଣେ ସମର୍ପି ॥
ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟିର ତୁଲେ ॥
ଶଙ୍ଖା ସିନ୍ଦୁର ନୂଆ ଶାଢ଼ୀ । ବିପ୍ରେ ଗାୟତ୍ରୀ ମନ୍ତ୍ର ପଢ଼ି॥
ଦେଲେ ଯେ ତାହା ମନ୍ତୁରାଇ। ସାବିତ୍ରୀ ଅଙ୍ଗେ ଶୋଭା ପାଇ ॥
ସ୍ଵାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧମନେ ॥
ସଭିଙ୍କୁ ପ୍ରସାଦ ବାଣ୍ଟିଲେ। ସୁଚିତ୍ତେ ଫଳ ଆହାରିଲେ ॥
ଏ ବ୍ରତ ଆଚରେ ଯେ ସତୀ । ହୋଇଲେ ଶତ ପୁତ୍ରବତୀ ॥
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ ॥
ବାହୁଡ଼ି ଶଙ୍ଖା ସିନ୍ଦୁରରେ । ବାସ ଲଭିଲେ ସ୍ୱର୍ଗପୁରେ ॥
ସଧବା ନାରୀ କେହି ତେବେ । ଏ ବ୍ରତ ଆରମ୍ଭଲେ ଯେବେ ॥
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି ॥
କୃଷ୍ଣଙ୍କ ମୁଖୁ ଏହାଶୁଣି । ଯୁଧୁଷ୍ଠିର ଯେ ଯୋଡ଼ିପାଣି ॥
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ ॥
ସାବିତ୍ରୀ କଥା ବ୍ରତ ଏହି । ସର୍ବେ ଶୁଣିବେ ମନଦେଇ॥
ସୁମରି ଲକ୍ଷ୍ମୀ ନାରାୟଣ। ହୁଳହୁଳି ଯେ ଦେବେ ଜାଣ ॥
ସାବିତ୍ରୀ ବ୍ରତ କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ॥
ଚିତ୍ତ ନିବେଶି ବିଷ୍ଣୁପାଦେ। ବୁଦ୍ଧିଆ କହେ ଗୀତଛନ୍ଦେ ॥
ସମାପ୍ତ
यह भी जानें

Katha Savitri Vrat Katha In Odia KathaVat Savitri Vrat KathaSavitri Vrat KathaPauranik KathaSatyavan Savitri KathaSavitri Amavasya Vrat Katha

अगर आपको यह कथाएँ पसंद है, तो कृपया शेयर, लाइक या कॉमेंट जरूर करें!

Whatsapp Channelभक्ति-भारत वॉट्स्ऐप चैनल फॉलो करें »
इस कथाएँ को भविष्य के लिए सुरक्षित / बुकमार्क करें Add To Favorites
* कृपया अपने किसी भी तरह के सुझावों अथवा विचारों को हमारे साथ अवश्य शेयर करें।

** आप अपना हर तरह का फीडबैक हमें जरूर साझा करें, तब चाहे वह सकारात्मक हो या नकारात्मक: यहाँ साझा करें

ଓଡ଼ିଆରେ ସାବିତ୍ରୀ ବ୍ରତ କଥା

ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ॥ ଜଗତ ହିତେ ଦେହଧରି । ଧରାରେ ଧର୍ମ ରକ୍ଷାକରି ॥

वट सावित्री व्रत कथा

भद्र देश के एक राजा थे, जिनका नाम अश्वपति था। भद्र देश के राजा अश्वपति के कोई संतान न थी...

मंगलवार व्रत कथा

सर्वसुख, राजसम्मान तथा पुत्र-प्राप्ति के लिए मंगलवार व्रत रखना शुभ माना जाता है। पढ़े हनुमान जी से जुड़ी मंगलवार व्रत कथा...

माँ बगलामुखी पौराणिक कथा

एक बार सतयुग में महाविनाश उत्पन्न करने वाला ब्रह्मांडीय तूफान उत्पन्न हुआ, जिससे संपूर्ण विश्व नष्ट होने लगा इससे चारों ओर हाहाकार मच गया। संसार की रक्षा करना असंभव हो गया...

सीता अवतरण पौराणिक कथा

सीता अवतरण, सीता नवमी, जानकी नवमी, सीता जयंती, जानकी जयंती पौराणिक कथा | पौराणिक कथा के अनुसार मारवाड़ क्षेत्र में एक वेदवादी श्रेष्ठ धर्मधुरीण ब्राह्मण निवास करते थे।..

सोमवार व्रत कथा

किसी नगर में एक धनी व्यापारी रहता था। दूर-दूर तक उसका व्यापार फैला हुआ था। नगर के सभी लोग उस व्यापारी का सम्मान करते थे..

गंगा दशहरा कथा

भगवान् श्रीरामका जन्म अयोध्याके सूर्यवंशमें हुआ था। चक्रवर्ती महाराज सगर उनके पूर्वज थे। उनकी केशिनी और सुमति नामकी दो रानियाँ थीं।

Hanuman Chalisa - Hanuman Chalisa
Hanuman Chalisa - Hanuman Chalisa
×
Bhakti Bharat APP